୪୯ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତି‌ଯୋଗିତା: ପୁଣି କର୍ଣ୍ଣା‌ଟକ ବିଜେତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୪୯ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତି‌ଯୋଗିତାରେ ପୁଣି କର୍ଣ୍ଣା‌ଟକ ବିଜେତା।  କଳିଙ୍ଗ ଷ୍ଟାଡିୟମ୍‌ର ନବନିର୍ମିତ ଆକ୍ବାଟିକ୍ ସେଣ୍ଟ‌ରରେ ଚାଲିଥିବା ୩୯ତମ ଜାତୀୟ ଉପକନିଷ୍ଠ ଏବଂ ୪୯ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତି‌ଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି। କର୍ଣ୍ଣାଟକ ପ୍ରତିଯୋଗୀମା‌ନେ ପ୍ରାଧାନ୍ୟ ଜାରି ରଖି ଦଳଗତ ବିଜେତା ଟ୍ରଫି ବଜାୟ ରଖିଛନ୍ତି। ଏହି ରାଜ୍ୟ ୫୦ ସ୍ବର୍ଣ୍ଣ ସହ ମୋଟ ୧୧୯ ପଦକ ଜିତି ଶୀର୍ଷ ସ୍ଥାନରେ ରହିଥିବା ବେଳେ ମହାରାଷ୍ଟ୍ର ୧୧ ସ୍ବର୍ଣ୍ଣ ସହ ମୋଟ ୫୪ ପଦକ ଜିତି ଦ୍ବିତୀୟ ଏବଂ ତାମିଲନାଡୁ ୧୦ ସ୍ବର୍ଣ୍ଣ ସହ ୩୭ ପଦକ ଜିତି ତୃତୀୟ ସ୍ଥାନରେ ରହିଲେ। ପ୍ରତିଯୋଗିତା ଅବସରରେ ମୋଟ ୧୯ ଜାତୀୟ କୀର୍ତ୍ତିମାନ ପ୍ରତିଷ୍ଠା ହୋଇଛି। ବାଳକ ବର୍ଗର ଗ୍ରୁପ୍‌-୧ରେ ରାଜସ୍ଥାନର ୟୁଗ ଚେଲାନି (୫ ସ୍ବର୍ଣ୍ଣ), ଗ୍ରୁପ୍‌-୨ରେ କର୍ଣ୍ଣାଟକର ଈଶାନ ମେହେରା (୫ ସ୍ବର୍ଣ୍ଣ, ୨ ନୂଆ ମିଟ୍ ରେକର୍ଡ), ଗ୍ରୁପ୍‌-୩ରେ ତାମିଲନାଡୁର ଅବଦୁଲ ହାଫିଜ୍ (୩ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ବାଳିକା ବର୍ଗରେ ଗ୍ରୁପ୍‌-୧ରେ ତେଲେଙ୍ଗାନାର ଭ୍ରିତ୍ତି ଅଗ୍ରୱାଲ (୪ ସ୍ବର୍ଣ୍ଣ, ୧ ରୌପ୍ୟ), ଗ୍ରୁପ୍‌-୨ରେ କର୍ଣ୍ଣାଟକର ତାନୀଶି ଗୁପ୍ତା (୪ ସ୍ବର୍ଣ୍ଣ, ୧ ରୌପ୍ୟ, ୩ ନୂଆ ମିଟ୍ ରେକର୍ଡ) ଏବଂ ଗ୍ରୁପ୍‌-୩ରେ ବେଙ୍ଗଲର ସାନିଦ୍ଧି ମୁଖାର୍ଜୀ (୩ ସ୍ବର୍ଣ୍ଣ) ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ପ୍ରତିଯୋଗିତା ଶେଷରେ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଏହି ନବନିର୍ମିତ ଆକ୍ବାଟିକ୍ ସେଣ୍ଟର୍ କାରଣରୁ ମୋଟ ୧୯ କୀର୍ତ୍ତିମାନ ସୃଷ୍ଟି ‌ହୋଇଥିବାରୁ ଖୁସି ବ୍ୟକ୍ତ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି କାରଣରୁ ଏହି ଆକ୍ବାଟିକ୍ ସେଣ୍ଟର୍‌ ଦେଶର ସନ୍ତରଣ କ୍ରୀଡ଼ାବିତଙ୍କ ପାଇଁ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ। ସନ୍ତରଣର ବିକାଶ ସହିତ ଭବିଷ୍ୟତର ଚାମ୍ପିଅନ୍ ସୃଷ୍ଟି ଲାଗି ଓଡ଼ିଶାର ସଙ୍କଳ୍ପ ଏହାଦ୍ବାରା ପ୍ରତିଫଳିତ ବୋଲି ପ୍ରକାଶ କରିଥିଲେ। ଭାରତୀୟ ସନ୍ତରଣ ସଂଘ, ପ୍ରଶିକ୍ଷକ, ଖେଳାଳି ଓ ସ୍ବେଚ୍ଛାସେବୀମାନଙ୍କୁ ସେ ପ୍ରତିଯୋଗିତାର ସଫଳତା ପାଇଁ କୃତଜ୍ଞତା ଜଣାଇଥିଲେ।

Leave A Reply

Your email address will not be published.