ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟିଗଲେ ବରିଷ୍ଠ ସାମ୍ବାଦିକ।ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଛି। ମୃତ ସାମ୍ବାଦିକ ଜଣକ ମୋହନଗିରି ଅଞ୍ଚଳର ରୋହିତ ବିଶ୍ୱାଳ ବୋଲି ଜଣାପଡିଛି। କଳାହାଣ୍ଡି ଜିଲ୍ଲା ମଦନପୁର ଅଞ୍ଚଳରେ ଆଜି ପୂର୍ବାହ୍ନରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ କଳାହାଣ୍ଡି କର୍ଲାଖୁଣ୍ଟା ବ୍ରିଜ୍ ନିକଟରେ ମାଓବାଦୀ ପୋଷ୍ଟର ଲଗାଇଥିଲେ । ନିର୍ବାଚନରେ ଭୋଟ ବର୍ଜନ କରିବା ସହ ଅନେକ ଦାବି କରିଥିଲା ଲାଲବାହିନୀ । ଏହି ଖବର ସଂଗ୍ରହ କରିବାକୁ ସାମ୍ବାଦିକ ଯାଇଥିବାବେଳେ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥଳରେ ହିଁ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଛି । ସିଆରପିଏଫ୍ ଓ ପୋଲିସ ପହଛି ଖୋଳତାଡ କରିଛନ୍ତି। ସାମ୍ବାଦିକଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ। ଏହା ସହ ତାଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମାଓବାଦୀଙ୍କ ଏହି ହିଂସାକାଣ୍ଡକୁ ଦୃଢ଼ ନିନ୍ଦା କରିବା ସହ ଏଥିରେ ସଂପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।