ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁମ୍ବାଇରେ ଏକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତିଯାଇଛି ଏକ ଘରୋଇ ଚାର୍ଟାର୍ଡ ପ୍ଲେନ୍। ଅବତରଣ ବେଳେ ରନୱେରୁ ଖସିଲା ଦୁଇ ଖଣ୍ଡ ହୋଇଯାଇଛି ବିମାନ। ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ କ୍ରୁ ସଦସ୍ୟ ଥିଲେ। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ ଏହି ଦୁର୍ଘଟଣାରେ ତିନି ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁଁ ଚାର୍ଟାର୍ଡ ବିମାନ ଅବତରଣ କରିବା ସମୟରେ ରନୱେରେ ଭାରସାମ୍ୟ ହରାଇଥିଲା । ଏହା ପରେ ପ୍ଲେନ୍ ଦୁଇ ଫାଳ ହୋଇ ନିଆଁ ଲାଗି ଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଟି ମୁମ୍ବାଇ ଏୟାରପୋର୍ଟର ରନୱେ ନମ୍ବର ୨୭ ନିକଟରେ ଘଟିଛି । ମୁମ୍ବାଇ ଏୟାରପୋର୍ଟରୁ ଆସିଥିବା ଦୃଶ୍ୟରେ ଦେଖିବାକୁ ମିଳୁଛି ଯେ ରନ ୱେ କଡ଼ରେ ବିମାନର କିଛି ଅଂଶ ପଡ଼ି ରହିଛି । ଏଥିରୁ ନିଆଁ ବାହାରୁ ଥିବା ବେଳେ ଅଗ୍ନିଶମ ବାହିନୀ ଏହାକୁ ଲିଭାଇବା ପାଇଁ ଚେଷ୍ଟା କରୁଛି । ନିଆଁ ଲିଭାଇବାକୁ ସେମାନଙ୍କୁ ବେଶ କିଛି ସମୟ ମଧ୍ୟ ଲାଗିଥିଲା । ଡିଜିସିଏ କହିଛି ଯେ ଦୁର୍ଘଟଣାଗ୍ରସ୍ତ ଚାର୍ଟାର୍ଡ ବିମାନଟି ବେଙ୍ଗାଲୁରୁ ଭିତ୍ତିକ ଭିଏସ୍ଆର ଭେନଚର ସଂସ୍ଥାର Learjet 45। ଏହା ବୀର ନାଁରେ ମଧ୍ୟ ପରିଚିତ । ବିମାନଟି ଆନ୍ଧ୍ର ପ୍ରଦେଶର ବିଶାଖାପଟନମରୁ ମୁମ୍ବାଇ ଆସିଥିଲା ।