ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ ହତ୍ୟା ଧମକ । ଫୋନ୍ କଲ୍ ମାଧ୍ୟମରେ ମିଳିଛି ହତ୍ୟା ଧମକ । ନବ ଦାସଙ୍କ ଭଳି ବୈଜୟନ୍ତଙ୍କ ଦଶା ହେବ ବୋଲି କଲର୍ ଜଣକ କହିଛନ୍ତି । ଏ ନେଇ ପୋଲିସ ନିକଟରେ ଅଭିଯୋଗ ହୋଇଛି । ବୈଜୟନ୍ତଙ୍କ ବ୍ୟକ୍ତିଗତ ସହାୟକ ଏହି ଫୋନ୍ କଲ୍ ରିସିଭ୍ କରିଥିଲେ । ଏହା ପରେ ନବ ଦାସଙ୍କ ଭଳି ବୈଜୟନ୍ତଙ୍କୁ ହତ୍ୟା କରାଯିବା ନେଇ ଅନ୍ୟ ପଟୁ ଧମକ ଦେଇଥିଲା କଲର୍ । ଏହା ସତରେ ହତ୍ୟା ଧମକ ନା ପ୍ରାଙ୍କ୍ କଲ୍ ଥିଲା ଏବଂ ଏହା କେଉଁ ରାଜ୍ୟରୁ କଲ୍ କରାଯାଇଛି ସେ ନେଇ ଖୋଳତାଡ଼ କରୁଛି ପୋଲିସ୍ । ଏନେଇ ଦିଲ୍ଲୀ ପୋଲିସ ତଦନ୍ତ କରୁଥିବା ବୈଜୟନ୍ତଙ୍କ ଅଫିସ ତରଫରୁ ସୂଚନା ମିଳିଛି ।
ଅପର ପାର୍ଶ୍ୱର ବ୍ୟକ୍ତିଜଣକ ହିନ୍ଦୀ ଭାଷାରେ ଧମକ ଦେଉଥିବା ବେଳେ ସେ କେଉଁଠିକାର ବାସିନ୍ଦା ତାହା ସ୍ପଷ୍ଟ ହୋଇ ପାରିନି। ତେବେ ଏହା ବ୍ୟକ୍ତିଗତ ଆକ୍ରୋଶ ନା ଏହା ପଛରେ ଆଉ କିଏ ଅଛି ତାହା ବି ଜଣାପଡ଼ିନି । ଓଡ଼ିଶାର କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କୁ ଚଳିତବର୍ଷ ସ୍ପଷ୍ଟ ଦିବାଲୋକରେ ହତ୍ୟା କରାଯାଇଥିଲା । ଶ୍ରୀ ଅରୋରା କହିଛନ୍ତି ଯେ ଏହି ଧମକ ବାସ୍ତବରେ ନା କେହି ଜଣେ ପିଲାଙ୍କ ଭଳି ପ୍ରାଙ୍କ୍ କରିଛି ତାହା ଜାଣିବା ସମ୍ଭବପର ନୁହେଁ । ଯେହେତୁ ଏଭଳି ସନ୍ଦେଶକୁ ହାଲକା ଭାବେ ନେବା କଥା ନୁହେଁ ତେଣୁ ସମସ୍ତ ତଥ୍ୟ ସହ ଦିଲ୍ଲୀ ପୁଲିସ ପାଖରେ ଗତକାଲି ଏକ ଏତଲା ରୁଜୁ ହୋଇଛି, ଯାହାର ତଦନ୍ତ ସେମାନେ କରୁଛନ୍ତି ।