ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଣିପୁର ଅସ୍ତ୍ର ଜବତ ମାମଲାରେ ସୁପ୍ରିମକୋର୍ଟରେ ସରକାର ଦାଖଲ କଲେ ରିପୋର୍ଟ । ମଣିପୁରରେ ଗତ ମେ’ ମାସରୁ କୁକି ଏବଂ ମୈତେୟୀଙ୍କ ମଧ୍ୟରେ ହୋଇଥିବା ହିଂସା ପରଠାରୁ ପୁଲିସ ଶିବିର ଏବଂ ରାଜ୍ୟ ଅସ୍ତ୍ରାଗାରରୁ ଚୋରି ହୋଇଥିବା ଅସ୍ତ୍ରଶସ୍ତ୍ର ଜବତ ସଂକ୍ରାନ୍ତରେ ମଣିପୁର ସରକାର ସୁପ୍ରିମକୋର୍ଟରେ ବିସ୍ତୃତ ତଥ୍ୟ ଦାଖଲ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ପ୍ରତିନିଧିତ୍ବ କରୁଥିବା ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି, ଏକ ଜଉମୁଦ ଲଫାପାରେ କୋର୍ଟରେ ରିପୋର୍ଟ ଦାଖଲ କରାଯାଇଛି। ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆସନ୍ତା ୨୫ ତାରିଖରେ ଏହି ରିପୋର୍ଟ ଉପରେ ବିଚାର କରିବେ। ଅନ୍ୟପକ୍ଷେ ଦୀର୍ଘ ୧୦୦ ଦିନ ପରେ ମଣିପୁରରେ ପୁଣିଥରେ ଇଣ୍ଟରନେଟ୍ ସେବା ଆରମ୍ଭ ହୋଇଛି।
ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ମଣିପୁରରେ ସ୍ଥିତି ସୁଧୁରିଥିବାରୁ ରାଜ୍ୟରେ ଇଣ୍ଟରନେଟ୍ ସେବା ପୁଣିଥରେ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ରାଜ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ତେବେ ଜୁଲାଇ ୨୫ ତାରିଖରେ ରାଜ୍ୟରେ କିଛି ସର୍ତ୍ତ ଆଧାରରେ ଆରମ୍ଭ ହୋଇଥିଲା ବ୍ରଡବ୍ୟାଣ୍ଡ୍ ସେବା।