ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ପୁରୀ ରାଜନଅରରେ ପାଳିତ ହୋଇଛି ପବିତ୍ର ସୁନିଆଁ ଉତ୍ସବ। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୧ ସାଲ ୬୭ ଅଙ୍କର ପ୍ରବେଶ। ଆଜି ସନ୍ଧ୍ୟାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶ୍ରୀନହରରେ ପାଳିତ ହୋଇଛି ସୁନିଆଁ ଉତ୍ସବ। ଜାତକ ଓ ପାଞ୍ଜି ଅଙ୍କ ଗଣନାର ବିଶେଷ ମହତ୍ତ୍ଵ ରହିଥିବା ବେଳେ ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ , ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ ଗଜପତି ମହାରାଜ। ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯାଇଥିଲା।
ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଥିଲେ। ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଅବସରରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଛନ୍ତି। ସେପଟେ ସୁନିଆଁ ଅବସରରେ ରାଜନହରରେ ରାଜଗୁରୁ ଓ ଶାସନ ବ୍ରାହ୍ମଣ ମାନେ ଗଜପତିଙ୍କୁ ଆର୍ଶୀବାଦ ପ୍ରଦାନ କରିଛନ୍ତି।