ଗୃହ ବିବରଣୀରୁ ବାଦ୍ ପଡ଼ିଲା ‘ମେଣ୍ଟାଲ୍ ଡିଜ୍ଅର୍ଡର’

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିରୋଧୀ ଦଳଙ୍କ ଚାପରେ ଗୃହ ବିବରଣୀରୁ ‘ମେଣ୍ଟାଲ୍ ଡିଜ୍ଅର୍ଡର’ ମନ୍ତବ୍ୟକୁ ବାଦ୍ ଦେଲେ ସରକାର। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ ନାହି ବୋଲି ବିଜେଡି ବିଧାୟକ ଅରୁଣ ସାହୁ ଦେଇଥିବା ମନ୍ତବ୍ୟକୁ ଗୃହ ବିବରଣୀରୁ ବାଦ ଦିଆ ଯାଇଥିବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ପ୍ରମିଳା ମଳ୍ଲିକ ।ତେବେ ଦୁଇ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର ହୋଇ ନାହିଁ । ଯାହାକୁ ନେଇ ଗୃହରେ ହଟ୍ଟଗୋଳ ଲାଗି ରହିଥିଲା । ବିଜେଡି ବିଧାୟକ ଅରୁଣ ସାହୁ ଗୃହରେ ବିରୋଧୀ ଦଳନେତା ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଭଲ ନ ଥିବା କହିବା ପରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି ହୋଇଥିଲା । ଏହା ପରେ  ଜୟନାରାୟଣ ଏକ ମିଡିଆରେ ମାନହାନୀ ମୋକଦ୍ଦମା କରିବେ ବୋଲି ବି କହିଥିଲେ ।

ଖାଲି ସେତିକି ନୁହେଁ, ସରକାରଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ ଜୟନାରାୟଣ ।  ସେ ଗୃହ ଭିତରେ ବା ବାହାରେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ଏବଂ ତାଙ୍କର ଯଦି କିଛି ହୋଇଯାଏ ତେବେ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି ସେ କହିଥିଲେ । ଏଥିସହିତ ବାଚସ୍ପତିଙ୍କ ପକ୍ଷପାତିତାକୁ ନେଇ ମଧ୍ୟ କଡା ଟିପ୍ପଣୀ ମଧ୍ୟ କରିଥିଲେ । ଦୁଇ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଚାଲିଥିବାବେଳେ ଗୃହ ଏକପ୍ରକାର ଅଚଳ ହୋଇ ପଡିଥିଲା । ଆଜି ବି ଗୃହ ଠିକରେ ଚାଲି ପାରି ନ ଥିଲା । ବିଜେପି ବିଧାୟକ ମୋହନ ମାଝି ଓ ମୁକେଶ ମହାଲିଙ୍ଗ ନିଲମ୍ବନ ଆଦେଶ ପ୍ରତ୍ୟାହାର ଓ ବିରୋଧୀ ଦଳ ନେତାଙ୍କ ପ୍ରତି ପ୍ରୟୋଗ କରାଯାଇଥିବା ଅପଶବ୍ଦକୁ ଗୃହ ବିବରଣୀରୁ ବାଦ୍ ଦେବାକୁ  ଦାବି କରି ଅଡି ବସିଥିଲେ ବିଜେପି ବିଧାୟକ ।  ଶେଷରେ  ସରକାର  ସର୍ବଦଳୀୟ ବୈଠକ ପରେ ଗୃହ ବିବରଣୀରୁ ମେଣ୍ଟାଲ ହେଲ୍ଥ ବୟାନକୁ ବାଦ୍ ଦେଇଥିଲେ ।

Leave A Reply

Your email address will not be published.