ଓଡ଼ିଆ ନ୍ୟୁଜ, ନୂଆଦିଲ୍ଲୀ : ଚଳିତ କ୍ରିକେଟ୍ ଦିନିକିଆ ବିଶ୍ୱକପ୍ରେ ଗତ ତିନି ଦିନରେ ଦ୍ୱିତୀୟ ବିପର୍ଯ୍ୟୟ । ବ୍ୟାଗି ଗ୍ରୀନ୍ ଆର୍ମିକୁ ମାତ ଦେଇଛି ଅରେଞ୍ଜ ଆର୍ମି । ରବିବାର ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଆଫଗାନିସ୍ତାନ ୬୯ରନରେ ହରାଇ ପ୍ରଥମ ବିପର୍ଯ୍ୟୟ ଘଟାଇଥିଲା । ପୁଣି ମଙ୍ଗଳବାର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକା ବା ପ୍ରୋଟିଜ୍ କୁ ୩୮ରନ୍ରେ ଧରାଶାୟୀ କରି ଇତିହାସ ରଚିଛି ନେଦରଲ୍ୟାଣ୍ଡସ । ଫଳରେ ଗତବର୍ଷ ଟି୨୦ ବିଶ୍ୱକପ୍ରେ ଦକ୍ଷିଣ ଆଫ୍ରିକା ବିଷକ୍ଷରେ ବିଜୟକୁ ଦୋହରାଇଛି ନେଦରଲ୍ୟାଣ୍ଡସ ଚଳିତ ବିଶ୍ୱକପ୍ରେ । ଏହା ନେଦରଲ୍ୟାଣ୍ଡସର ବିଶ୍ୱକପ୍ରେ ତୃତୀୟ ବିଜୟ । ୨୦୦୩ରେ ନାମିବିଆ, ୨୦୦୭ରେ ସ୍କଟଲ୍ୟାଣ୍ଡ ପରେ ୨୦୨୩ରେ ପ୍ରୋଟିଜ୍କୁ ଧୂଳି ଚଟାଇଛି ଡଚ୍ ।
ମଙ୍ଗଳବାର ହିମାଚଳ ପ୍ରଦେଶର ଧର୍ମଶାଳା ସ୍ଥିତ ଏଚପିସିଏ ଷ୍ଟାଡିଅମରେ ଖେଳାଯାଇଥିବା ବିଶ୍ୱକପ୍ର ପଂଚଦଶ ମ୍ୟାଚ୍ରେ ଟସ୍ ଜିତି ଫିଲ୍ଡିଂ ନେଇଥିଲା ଦକ୍ଷିଣ ଆଫ୍ରିକା । ବର୍ଷା ବାଧକ ସାଜିବାରୁ ମ୍ୟାଚକୁ ୫୦ଓଭରରୁ ୪୩ ଓଭରକୁ କମାଇ ଦିଆଯାଇଥିଲା । ପ୍ରାରମ୍ଭରୁ ଶାଣିତ ବୋଲିଂ କରି ମାତ୍ର ୮୨ରନ୍ରେ ନେଦରଲ୍ୟାଣ୍ଡସ ୫ଟି ୱିକେଟ ପକାଇ ଦେଇଥିଲା ବ୍ୟାଗି ଗ୍ରୀନ୍ ଆର୍ମି । ତେବେ ଅଷ୍ଟମ ୱିକେଟରେ ନେଦରଲ୍ୟାଣ୍ଡସର ୱିକେଟ ରକ୍ଷକ ଅଧିନାୟକ ସ୍କଟ ଏଡୱାର୍ଡସ ଓ ଅଲ୍ରାଉଣ୍ଡର ଭାନ ଡର ମେରୱଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ୩୬ବଲ୍ରେ ୬୪ରନର ଭାଗିଦାରୀ ହୋଇଥିଲା । ଏଡୱାର୍ଡସ ୬୯ବଲରେ ଆକ୍ରମଣାତ୍ମôକ ଢଙ୍ଗରେ ୧୦ଚୌକା ଓ ଗୋଟିଏ ଛକା ସହ ୭୮ରନ୍ କରିଥିଲେ । ସେହିପରି ମେରୱ ୧୯ ବଲରେ ୩ ଚୌକା ଓ ଗୋଟିଏ ଛକା ସହ ବିସ୍ଫୋରକ ୨୯ ଏବଂ ଆର୍ଯ୍ୟନ ଭଟ୍ଟ ମାତ୍ର ୯ଟି ବଲ୍ରେ ୩ଟି ଛକା ସହ ଦ୍ରୁତ ୨୩ ରନ କରିଥିଲେ । ଫଳରେ ନେଦରଲ୍ୟାଣ୍ଡସ ନିର୍ଦ୍ଧାରିତ ୪୩ ଓଭରରେ ୮ ୱିକେଟ ହରାଇ ୨୪୫ରନ୍ କରିବାକୁ ସକ୍ଷମ ହୋଇଥିଲା ।
ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍ଗିଡି, ମାର୍କୋ ଜାନସେନ, କାଗିସୋ ରବାଡା ୨ଟି ଲେଖାଏଁ ଏବଂ ଗେରାଲ୍ଡ କୋଏତଜୀ ଓ କେଶବ ମହାରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ୨୪୬ ରନ୍ ର ଟାର୍ଗେଟ ପାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମାତ୍ର ୪୪ରନରେ ୪ଟି ୱିକେଟ ପଡିବାରୁ ବ୍ୟାକ୍ ଫୁଟରେ ରହିଥିଲା ପ୍ରୋଟିଜ୍ । ତେବେ ୫ମ ୱିକେଟରେ ଡେଭିଡ ମିଲର ଓ ହେନରିକ୍ କ୍ଲାସେନ୍ ଙ୍କ ମଧ୍ୟରେ ୪୫ ରନ୍ର ଭାଗୀଦାରୀ ହେବାରୁ ଆଶା ସଂଚାର ହୋଇଥିଲା । କିନ୍ତୁ ନେଦରଲ୍ୟାଣ୍ଡସ ବୋଲରଙ୍କ ଘାତକ ବୋଲିଂ ଯୋଗୁ ନିୟମିତ ୱିକେଟ ପଡିବାରୁ ମ୍ୟାଚ ବଂଚାଇ ପାରି ନ ଥିଲା ଦକ୍ଷିଣ ଆଫ୍ରିକା । ମିଲର ୪୩, ମହାରାଜ ୪୦, କ୍ଲାସେନ ୨୮ ଓ କୋଏତ୍ଜୀ ୨୨ ରନ କରିଥିଲେ । ନେଦରଲ୍ୟାଣ୍ଡସ ପକ୍ଷରୁ ଲୋଗାନ ଭାନବିକ୍ ୩ଟି, ମେରୱ, ପଲ ଭାନ ମିକରେନ ଓ ବାସ୍ ଡେ ଲିଡେ ୨ଟି ଲେଖାଏଁ ଏବଂ କଲିନ ଆକରମ୍ୟାନ ଗୋଟିଏ ୱିକେଟ ନେଇଥିଲେ । ୭୮ ରନ କରିଥିବା ଓ ୩ଟି କ୍ୟାଚ ନେଇଥିବା ଏଡୱାର୍ଡସ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ହୋଇଥିଲା ।