ତଳକୁ ଖସିଲା ରାଜଧାନୀ ରାତି ତାପମାତ୍ରା

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ତଳକୁ ଖସିଲା ରାଜଧାନୀ ରାତି ତାପମାତ୍ରା | ଗତକାଲି ରାତିରେ ରାଜଧାନୀ ଭୁବନେଶ୍ବର ତାପମାତ୍ରା ୧୯.୭ ଡିଗ୍ରି ରେକର୍ଡ ହୋଇଥିଲା। ଏଥିସହ କଟକର ରାତି ତାପମାତ୍ରା ୨୦.୨ ଡିଗ୍ରି ରହିଥିଲା। ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୧୩ ‌ଡିଗ୍ରିକୁ ଖସିଥିବା ବେଳେ ଫୁଲବାଣୀ ଓ ଜି. ଉଦୟଗିରିରେ ୧୩ ଡିଗ୍ରି, କୋରାପୁଟରେ ୧୩.୮ ଡିଗ୍ରି ଓ ଦାରିଙ୍ଗବାଡ଼ିରେ ୧୪ ଡିଗ୍ରି ରାତି ତାପମାତ୍ରା ରହିଥିଲା।

ଏଥିସହ କଳାହାଣ୍ଡି, କୋରାପୁଟ ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟରେ ଗତ ୫ ଦିନ ହେଲା ଥଣ୍ଡା ଆରମ୍ଭ ହୋଇଯାଇଛି। ଆଜି ମଧ୍ୟ ଥଣ୍ଡା ରହିଛି। ତେବେ ଆସନ୍ତାକାଲି ସୋମବାର ରାତିଠାରୁ ପାଗରେ ପରିବର୍ତ୍ତନ ଆସିବ। ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଆକଳନ କରାଯାଉଛି, ନଭେମ୍ବର ୫ ସୁଦ୍ଧା ସର୍ବନିମ୍ନ ତାପମାତ୍ରା ପ୍ରାୟ ୨ ଡିଗ୍ରି ବଢ଼ିବ। ନଭେମ୍ବର ୧ ସୁଦ୍ଧା ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ।

ଗତକାଲି ରାଜ୍ୟକୁ ଉତ୍ତର-ପଶ୍ଚିମ ପବନ ବହୁଥିଲା। ଆଜି ସଂଧ୍ୟାରୁ ଉତ୍ତର-ପୂର୍ବ ପବନ ବହୁଛି। ତା’ ପରଦିନ ପୂର୍ବା ପବନ ଓ ପୁଣି ଉତ୍ତର-ପଶ୍ଚିମା ପବନ ବହିବାର ସମ୍ଭାବନା ରହିଛି। ନଭେମ୍ବର ୨ ଓ ୩ ତାରିଖରେ ପୂର୍ବା ପବନ ଓ ଉତ୍ତର-ପଶ୍ଚିମା ପବନ ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ପରସ୍ପର ମିଶିବାର ସମ୍ଭାବନା ରହିଛି। ଅନୁମାନ କରାଯାଉଛି, ନଭେମ୍ବର ୨ ଓ ୩ରେ ଦକ୍ଷିଣ ଉପକୂଳ, ପଶ୍ଚିମ ଓଡ଼ିଶା ଓ ଉତ୍ତର ଆଭ୍ୟନ୍ତରରେ ପାଗ ଆଂଶିକ ମେଘୁଆ ସହିତ ହାଲୁକା ଓ ସ୍ଥାନେ ସ୍ଥାନେ ସ୍ବଳ୍ପ ବର୍ଷା ହୋଇପାରେ।

Leave A Reply

Your email address will not be published.