ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ମହାପ୍ରଭୁଙ୍କ ଶରଣରେ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ । ନିଜ ପରିବାର ଲୋକଙ୍କ ସହ ଜଗନ୍ନାଥଙ୍କୁ ଦର୍ଶନ କଲେ ଓଡ଼ିଶାର ନୂଆ ରାଜ୍ୟପାଳ । ଶ୍ରୀମନ୍ଦିର ନିକଟରେ ରାଜ୍ୟପାଳ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ସେବାୟତ ସ୍ଵାଗତ କରିଥଲେ । ଖଣ୍ଡୁଆ ପୁଷ୍ପଗୁଚ୍ଛ ଦେଇ ରଘୁବର ଦାସଙ୍କୁ ସ୍ଵାଗତ କରାଯାଇ ଥିଲା ।
ପ୍ରଥମେ ରାଜ୍ୟପାଳ ପ୍ରଭୁ ପତିତପାବନଙ୍କୁ ଦର୍ଶନ କରି ଶ୍ରୀ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାପରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥଲେ । ପରେ ଶ୍ରୀ ମନ୍ଦିର ବେଢ଼ା ପରିକ୍ରମା କରିବା ସହ ବିଭିନ୍ନ ଦେବାଦେବୀ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥଲେ । ୧୯୫୫ ମସିହା ମେ ୩ରେ ଅବିଭକ୍ତ ବିହାରରେ ଜନ୍ମଗ୍ରହଣ କରିଥିବା ରଘୁବର ଜାମସେଦପୁର କୋପୋରେଟିଭ୍ କଲେଜରୁ ଶିକ୍ଷାଲାଭ କରିଥିଲେ । ୧୯୮୦ ମସିହାରେ ବିଜେପିର ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ପୂର୍ବ ଜାମସେଦପୁର ଆସନରୁ ୧୯୯୫ରେ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଏହି ଆସନରୁ ସେ ୨୦୧୯ ଯାଏ କ୍ରମାଗତ ୫ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୯ରେ ସେ ଝାଡ଼ଖଣ୍ଡର ଉପମୁଖମନ୍ତ୍ରୀ ଦାୟିତ୍ଵ ନିର୍ବାହ କରିଥିଲେ ।
୨୦୧୪ରୁ ୨୦୧୯ ଯାଏ ସେ ଝାଡ଼ଖଣ୍ଡର ଷଷ୍ଠ ତଥା ପ୍ରଥମ ଅଣ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ଝାଡ଼ଖଣ୍ଡ ବିଜେପିର ଦୁଇ ଥର ରାଜ୍ୟ ସଭାପତି ଥିଲେ। ବର୍ତ୍ତମାନ ସେ ଜାତୀୟ ବିଜେପିର ଉପସଭାପତି ପଦରେ ଅଛନ୍ତି ।