ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଗୁଜଵକାରୀଙ୍କୁ ହତାସ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବାକୁ ଆସି ଜଣାଇ ଦେଲେ ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି। କିଛି ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ କେହି ଜଣେ ଗୁଜଵ ସୃଷ୍ଟି କରିଥିଲା। ଯାହା ରାଜନେତା ଓ ସାମ୍ବାଦିକ ମହଲରେ ଟୁପୁରୁ ଟାପର ପରିସ୍ଥିତି ସୃଷ୍ଟି କରିଥିଲା। ଆଜି ସେସବୁରେ ପୂର୍ଣ୍ଣଛେଦ ପକାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ସଂଧ୍ୟାରେ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ଆସି ନିଜେ ଫିଟ୍ ଥିବା ଗଣମାଧ୍ୟମକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେବେ ନିର୍ବାଚନ ଆସେ ସେତେବେଳେ ମୋ ସ୍ବାସ୍ଥ୍ୟକୁ ନେଇ ଗୁଜବ ଉଠେ। ତେଣୁ ସେସବୁକୁ ସେ ଗୁରୁତ୍ୱ ଦିଅନ୍ତି ନାହିଁ। ପ୍ରଭୁ ଲିଙ୍ଗରାଜ ଓ ଜଗନ୍ନାଥଙ୍କ କୃପାରୁ ସେ ଠିକ୍ ଥିବା କହିଛନ୍ତି।
ଆଜି ସନ୍ଧ୍ୟାରେ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ମନ୍ଦିର ଚାରିପଟେ କଡ଼ାସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସିଂହଦ୍ୱାରରୁ ନିଜ କାରରୁ ଓହ୍ଲାଇବା ପରେ ଚାଲିଚାଲି ପ୍ରଥମେ ବିଘ୍ନ ବିନାଶକ ବିନାୟକ ଗଣେଶଙ୍କୁ ଦର୍ଶନ କରିଥିଲେ । ଏହାପରେ ବେଢା ବୁଲିବା ଆରମ୍ଭ କରିଥିଲେ । ସାଥୀରେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5-T ସଚିବ ଭି.କେ ପାଣ୍ଡିଆନ୍ । ପୂଜା ସାରିବା ପରେ ଐତିହ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଦେଖି ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପଡ଼ିଥିଲେ । ଏହାପରେ ନବୀନ ମନ୍ଦିର ବାହାରକୁ ଆସି ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ।

ଲିଙ୍ଗରାଜ ମନ୍ଦିର ନିକଟ ୬୬ଏକର ଜମିରେ ଚାଲିଛି ଏକାମ୍ର ପ୍ରକଳ୍ପ । ଆଉ ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି କାର୍ଯ୍ୟକୁ ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନିଜେ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଯାଇ ସେଠାରେ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।
ମନ୍ଦିର ଚାରିପଟେ ନିର୍ମାଣ ହେବ ପରିକ୍ରମା ପଥ । ଐତିହ୍ୟ ପୁଷ୍କରିଣୀଗୁଡ଼ିକର ସଂରକ୍ଷଣ ହେବ । ପୂର୍ବରୁ ବିସ୍ଥାପିତଙ୍କ ଥଇଥାନ ଓ ସହାୟତା ପାଇଁ ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଥଇଥାନ କେନ୍ଦ୍ର, ଲିଙ୍ଗରାଜ ଥାନା, ମନ୍ଦିର ଟ୍ରଷ୍ଟ ବୋର୍ଡ ଅନ୍ୟତ୍ର ସ୍ଥାନାନ୍ତର ହେବ । ଏକାମ୍ର ପ୍ରକଳ୍ପର ସ୍ୱତନ୍ତ୍ର ଡିଜାଇନ୍ ତିଆରି କରିଛନ୍ତି ୧୦ଜଣିଆ ଟିମ୍ ।