ମୋଟ ୫ଟି ପର୍ଯ୍ୟାୟରେ ମତଦାନ ଥିବାବେଳେ ପଂଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି। ୨୭ଟି ଜିଲ୍ଲାର ୬୪ଟି ବ୍ଲକର ୧୬୩ଟି ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୧୨୫୪ଟି ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଛି। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ । ୪ର୍ଥ ପର୍ଯ୍ୟାୟରେ ମୋଟ ୧୭,୦୮୯ଟି ବୁଥରେ ପ୍ରାୟ ୫୧.୩୧ ଲକ୍ଷ ଭୋଟର ନିଜର ମତଦାନ କରିବେ।
୩ଟି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ନିର୍ବାଚନରେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ୪ର୍ଥ ପର୍ଯ୍ୟାୟ ପାଇଁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏନେଇ ୨୫୭ ପ୍ଲାଟୁନ ଫୋର୍ସ ଓ ୧୪୭୩ଟି ମୋବାଇଲ ପାଟ୍ରୋଲିଂ ଟିମକୁ ନିୟୋଜିତ କରାଯାଇଛି।ନିର୍ବାଚନ ହେବାକୁ ଥିବା ଅଞ୍ଚଳରେ କଡ଼ା ଚେକିଂ କରାଯିବା ସହ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଉପୁଜୁ ତାହା ଉପରେ ନଜର ରଖାଯାଇଛି।
୩ୟ ପର୍ଯ୍ୟାୟ ନିର୍ବାଚନରେ ୭୮.୬ ପ୍ରତିଶତ ମତଦାନ ହୋଇଥିଲା । ନବରଙ୍ଗପୁରରେ ସର୍ବାଧିକ ୮୬.୩୩ ପ୍ରତିଶତ ଭୋଟ ଓ ଗଞ୍ଜାମରେ ସର୍ବନିମ୍ନ ୬୬.୭୫ ପ୍ରତିଶତ ମତଦାନ ହୋଇଥିଲା ।