ୟୁପିରେ ତୃତୀୟ ପର୍ଯ୍ୟାୟ ଭୋଟ୍ ହୋଇଛି। ଏହାରି ଭିତରେ ନିଜ ବୟାନକୁ ନେଇ ଏବେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ଅଯୋଧ୍ୟାରେ ଏକ ସାଧାରଣ ସଭାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଯଦି ରାଜ୍ୟରେ ପୁନର୍ବାର ବିଜେପି ସରକାର ଗଠନ ହୁଏ ତେବେ ଗୋଟିଏ ପଟେ ବିକାଶ ବାଡି ଏବଂ ଅନ୍ୟ ପଟେ ବୁଲଡୋଜର ଷ୍ଟେରିଂ ରହିବ। ରାଜ୍ୟ ବିକାଶ ପଥରେ ଆଗକୁ ବଢିବା ସହିତ ମାଫିଆ ଏବଂ ଗୁଣ୍ଡାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସମାଜବାଦୀ ପାର୍ଟିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ସମାଜବାଦୀ ପାର୍ଟି ଆତଙ୍କବାଦୀଙ୍କ ସହ ଅଛନ୍ତି। ସେମାନେ ରାଜ୍ୟର ବିକାଶ ଚାହୁଁ ନାହାଁନ୍ତି। ରାଜ୍ୟରେ ରାମ ରାଜ୍ୟ ପ୍ରତିଷ୍ଠା ପାଇଁ ବିଜେପିର ଡବଲ ଇଞ୍ଜିନ ସରକାର କାର୍ଯ୍ୟ କରୁଛନ୍ତି। ରାଜ୍ୟରେ ବିଜେପି ଏକ ଶକ୍ତିଶାଳୀ ଏବଂ ସ୍ଥିର ସରକାର ଦେବ। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ପାଞ୍ଚଶହ ବର୍ଷ ପରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯାଉଛି। ବିଏସପି ଏହି କାମ କରିପାରି ଥାଆନ୍ତା କି? କଂଗ୍ରେସ ମନ୍ଦିର ନିର୍ମାଣ କରିପାରି ଥାଆନ୍ତା ନା ସମାଜବାଦୀ ପାର୍ଟି? ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିବା ଲୋକମାନେ ମନ୍ଦିର ନିର୍ମାଣ କରିପାରିବେ କି? କେବଳ ଡବଲ୍ ଇଞ୍ଜିନ୍ ସରକାର ହିଁ ରାମ ମନ୍ଦିର ନିର୍ମାଣ କରୁଛନ୍ତି। ତେବେ ଅଖିଳେଶ ଯାଦବ ମଧ୍ୟ ଏହାର ଜବାବ ଦେଇ କହିଛନ୍ତି ଯେ ଯୋଗୀ ଏ କେଉଁ ଭଳି ଶବ୍ଦ ବ୍ୟବହାର କରୁଛନ୍ତି।