ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସକାଳୁ ସକାଳୁ ୪୯ ନମ୍ୱର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା । ବାଙ୍ଗିରିପୋଷି ଘାଟି ଉପରେ ଘଟିଛି ଏହି ଦୁର୍ଘଟଣା । ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ, ଜିଅନ୍ତା ଜଳିଗଲେ ଡ୍ରାଇଭର । ଏକ ତୈଳ ବୋଝେଇ ଟ୍ୟାଙ୍କର ଏବଂ ଏକ କଣ୍ଟେନର ଭାରସାମ୍ୟ ହରାଇ ୨୦ ଫୁଟ ତଳକୁ ଖସି ପଡିଛି।
ଫଳରେ ଟ୍ରକ୍ ଦୁଇଟିକୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏହାପରେ ସେଥି ମଧ୍ୟରୁ ଗୋଟିଏ ଟ୍ରକ୍ରେ ନିଆଁ ଲାଗି ଡ୍ରାଇଭର ଜୀଅନ୍ତା ଜଳି ଯାଇଥିବା ଜଣାଯାଇଛି। ଅନ୍ୟ ଜଣେ ଡ୍ରାଇଭରଙ୍କ ପତ୍ତା ମିଳୁନି। ଆଜି ସକାଳ ପ୍ରାୟ ୮ଟା ପରେ ଏକ ତେଲ ବୋଝେଇ ଟ୍ରକ୍ ଓ ଏକ ଟ୍ୟାଙ୍କର କେନ୍ଦୁଝରରୁ ବାରିପଦା ଅଭିମୁଖେ ଆସୁଥିଲେ। ମାତ୍ର ବାଙ୍ଗିରିପୋଷି ଘାଟିରେ ତଳକୁ ଓହ୍ଲାଉଥିବା ବେଳେ ପାଖାପାଖି ଥିବା ୨ଟି ଗାଡ଼ି ଭାରସାମ୍ୟ ହରାଇ ବସି ୨୦ ଫୁଟ ତଳକୁ ଖସି ପଡ଼ିଥିଲେ। ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନଂ ଜାତୀୟ ରାଜପଥର ଦୁଆରଶୁଣି ଘାଟିକୁ ମୟୂରଭଞ୍ଜ ଜିଲ୍ଲାର ଲାଇଫଲାଇନ୍ କହୁଯାଉଥିବା ବେଳେ ଏବେ ଘାଟି ରାସ୍ତା ମରଣଜନ୍ତା ପାଲଟିଛି।
ବାଙ୍ଗିରିପୋଷି ଘାଟିର ୯ କିଲୋମିଟର ରାସ୍ତା ଶିମିଳିପାଳ ଜୈବ ମଣ୍ଡଳ ଅଧୀନରେ ଆସୁଥିବାରୁ ଏହାର ସମ୍ପ୍ରସାରଣ କାର୍ଯ୍ୟ ବର୍ଷ ବର୍ଷ ଧରି ଅଟକି ରହିଛି। ଫଳରେ ଏହି ଘାଟିରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହୋଇଗଲାଣି। ଏହି ଘାଟି ରାସ୍ତାରେ ଦୁଇ ବର୍ଷ ମଧ୍ୟରେ ଘଟିଥିବା ପ୍ରାୟ ୧୬୦ରୁ ଊର୍ଦ୍ଧ୍ୱ ଦୁର୍ଘଟଣା ଘଟିଥିବା ବେଳେ ପ୍ରାୟ ୪୦ଜଣ ଅକାଳରେ ଆଖି ବୁଜି ସାରିଲେଣି। ଏଥିସହ ଏହି ଦୁର୍ଘଟଣାରେ୨ ଶହରୁ ଊର୍ଦ୍ଧ୍ୱ ଜଣ ଗୁରୁତର ହୋଇ ପଙ୍ଗୁ ହୋଇ ଯାଇଛନ୍ତି।