ଓଡ଼ିଆ ନ୍ୟୁଜ୍(ବ୍ୟୁରୋ) ଦୀର୍ଘ ଦୁଇ ବର୍ଷ ପରେ ଆଜି ଖୋଲିଛି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ। ଛାତ୍ରଛାତ୍ରୀମାନେ ଆଜି ସ୍କୁଲ ଆସିବା ବେଳେ ବେସ୍ ଉତ୍ସାହିତ ଥିବା ଦେଖା ଯାଇଛି । ଆଜି ଶିକ୍ଷକମାନେ ମଧ୍ୟ ଏକ ଅଭିନବ ଉପାୟରେ ପିଲାମାନଙ୍କୁ ସ୍ୱାଗତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ପିଲାମାନେ ସ୍କୁଲ ଭିତରକୁ ଆସିଲା ବେଳେ ସେମାନଙ୍କୁ ସାନିଟାଇଜର ଦିଆଯାଇ ଥିଲା। ପରେ ମାସ୍କ ଦିଆଯିବା ସହ ଫୁଲ ପକାଇ ସେମାନଙ୍କୁ ସ୍ୱାଗତ କରାଯାଇଥିଲା।
କେବଳ ପ୍ରଥମରୁ ପ୍ରଥମରୁ ପଞ୍ଚମ ନୁହେଁ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଲାସରୁମ ପାଠପଢା ମଧ୍ୟ ଆରମ୍ଭ ହେବ। ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଜି ଗଣମାଧ୍ୟମକୁ ସୂଚନା ଦେଇ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ନିଆଯାଇଥିଲା। ଆସନ୍ତାକାଲି ଠାରୁ ପ୍ରଥମରୁ ସପ୍ତମ କ୍ଲାସ ଖୋଲିବ। ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ। ଏହାସହ ପ୍ରଥମରୁ ପଞ୍ଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି। ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ। ଫଳରେ ଦୁଇ ବର୍ଷ ହେବ ଶ୍ରେଣୀ ପାଠପଢ଼ା ଦୂରରେ ଥିବା ପିଲାମାନେ ପଛେଇ ଯିବେ ନାହିଁ। ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି। ନିର୍ବାଚନ ହୋଇଥିବାରୁ ସ୍କୁଲ କ୍ୟାମ୍ପସକୁ ବିଶୋଧନ କରାଯାଇଛି।
ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ବୈଠକ କରାଯାଇଛି। ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ରହିବ। ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ମନ୍ତ୍ରୀ କହିଛନ୍ତି ଯେ ଏହା ମଧ୍ୟରେ ଉଭୟ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଦୁଇ ବୋର୍ଡ଼ ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତ୍ତି ନିଆଯିବ।
ରାଜ୍ୟ ସରକାର ଆସନ୍ତା ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ଖୋଲିବା ନେଇ ଘୋଷଣା କରିଥିଲେ । ହେଲେ ଏନେଇ ଜିଲ୍ଲାପାଳମାନେ ଅଧିକ ସମୟ ମାଗିଥିଲେ । ଏତେ ଶୀଘ୍ର ସ୍କୁଲକୁ ସଫା ଓ ସରଞ୍ଜାମର ମରାମତି ପାଇଁ ଅଧିକ ସମୟ ଆବଶ୍ୟକ ବୋଲି ଜିଲ୍ଲାପାଳମାନେ କହିଥିଲେ । ତେଣୁ ଏହାକୁ ଦୃଷ୍ଟି ରଖି ଏବେ ସ୍କୁଲକୁ ୨୮ ତାରିଖରେ ପିଲାମାନେ ଆସିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା।