ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାକିସ୍ତାନରେ ମୃଦୁ ଭୂମିକମ୍ପ | ଶନିବାର ସକାଳେ ପାକିସ୍ତାନ ଇସଲାମାବାଦରେ ଅନୁଭୂତ ହୋଇଛି ଏହି ଭୂମିକମ୍ପ | ତେବେ ସୂଚନା ମୁତାବକ, ଶନିବାର ସକାଳେ ପାକିସ୍ତାନର ଇସଲାମାବାଦ ନିକଟରେ ୪.୭ ମ୍ୟାଗ୍ନିଚ୍ୟୁଟର ଏକ ଭୂକମ୍ପ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଶନିବାର ସକାଳେ ଇସଲାମାବାଦ ନିକଟରେ ରିଚ୍ଟର ସ୍କେଲରେ ୪.୭ ମାପ ବିଶିଷ୍ଟ ଏକ ଭୂକମ୍ପ ଘଟିଛି।
ଏହାର ଗଭୀରତା ୧୯୦ କିଲୋମିଟର ଯାଏଁ ରେକର୍ଡ କରାଯାଇଥିଲା । ବର୍ତ୍ତମାନ ଯାଏଁ କାହା ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ମିଳିନାହିଁ। ପାକିସ୍ତାନରେ ବାରମ୍ବାର ବିଭିନ୍ନ ତୀବ୍ରତାର ଭୂକମ୍ପ ଘଟିଥାଏ। କିନ୍ତୁ ୨୦୦୫ ମସିହାରେ ପାକିସ୍ତାନରେ ସବୁଠାରୁ ବଡ ଭୂକମ୍ପ ଘଟିଥିଲା। ଯେଉଁଥିରେ ୭୪ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଗତ ସପ୍ତାହରେ ମଧ୍ୟ ଶନିବାର ରାତିରେ ପାକିସ୍ତାନର ଅନେକ ସହରରେ ଭୂକମ୍ପ ଅନୁଭୂତ ହୋଇଥିଲା।
ଏହି ସମୟ ମଧ୍ୟରେ ରାଜଧାନୀ ଇସଲାମାବାଦ, ଲାହୋର ଏବଂ ପେଶୱାରରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ପାକିସ୍ତାନ ପାଣିପାଗ ବିଭାଗ (ପିଏମଡି) ଅନୁଯାୟୀ ଇସଲାମାବାଦ ଏବଂ ଏହାର ଆଖପାଖ ଅଞ୍ଚଳରେ ୪.୯ ଭୂକମ୍ପର ତୀବ୍ରତା ଥିଲା ।