ୟୁକ୍ରେନର ଆଣବିକ କାରଖାନା ଘଟଣା ବିଷୟରେ ଜେଲେନସ୍କିଙ୍କ ସହ କଥା ହେଲେ ବୋରିସ୍ ଜନସନ; ପୁଣି ହୋଇପାରେ ଜାତିସଂଘର ଜରୁରୀକାଳୀନ ବୈଠକ
ୟୁକ୍ରେନର ଜାପୋରିଜିଆର ବୃହତ୍ତମ ଆଣବିକ କାରଖାନାରେ ନିଆଁ ଲାଗିବା ବିଷୟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ପରମାଣୁ କାରଖାନା ଘଟଣାକୁ ନେଇ ଜନସନ ଉଦ୍ବେଗ ପ୍ରକାଶ କରିଛନ୍ତି। ଜନସନ ଜେଲେନସ୍କିଙ୍କୁ କହିଛନ୍ତି ଯେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ବେପରୁଆ କାର୍ଯ୍ୟ ବର୍ତ୍ତମାନ ସମଗ୍ର ୟୁରୋପର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ। ଜନସନ ଆହୁରି କହିଛନ୍ତି ଯେ ପରିସ୍ଥିତି ଆହୁରି ଖରାପ ନହେବା ପାଇଁ ବ୍ରିଟେନ ଯଥାସମ୍ଭବ ଚେଷ୍ଟା କରିବ। ସେ କହିଛନ୍ତି ଯେ ସେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବେ ଏବଂ ବ୍ରିଟେନ୍ ତୁରନ୍ତ ରୁଷ ଏବଂ ଘନିଷ୍ଠ ସହଯୋଗୀମାନଙ୍କ ସହିତ ଏହି ପ୍ରସଙ୍ଗ ଉଠାଇବ। ଆଣବିକ କାରଖାନାର ରିଆକ୍ଟରଗୁଡ଼ିକରେ ନିଆଁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଦାବି କରିଛନ୍ତି ଯେ ଋଷିଆର ସୈନ୍ୟ ପରମାଣୁ କାରଖାନା ଉପରେ ଆକ୍ରମଣ କରିଛନ୍ତି। ଆଣବିକ କାରଖାନା ବିପଦରେ ଅଛି ବୋଲି ଜେଲେନସ୍କି ଟ୍ୱିଟ୍ କରିଛନ୍ତି। ଏହାପୂର୍ବରୁ ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଦିମିତ୍ରୀ କୁଲେବା କହିଛନ୍ତି ଯେ ପରମାଣୁ କାରଖାନା ଉପରେ ଋଷିଆ କ୍ରମାଗତ ଭାବେ ଗୁଳି ଚଳାଉଛି।