କ୍ଷମା ପ୍ରାର୍ଥନା କଲେ ସମ୍ବିତ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁରୀରେ ଗତକାଲି (ସୋମବାର) ବିଜେପିର ଶୀର୍ଷ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାପ୍ରଭୁଙ୍କ ଦର୍ଶନ ପରେ ବଡଦାଣ୍ଡରେ ବିଶାଳ ରୋଡ ସୋ’ରେ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବା ବେଳେ ମହାପ୍ରଭୁ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ଏକ ଶବ୍ଦ ତାଙ୍କ ପାଟିରୁ ବାହାରି ଯାଇଥିଲା। ଯାହାକୁ ନେଇ ବିବାଦ ଉପୁଜିଥିଲା।

ଏହାକୁ ନେଇ ସ୍ପଷ୍ଟୀକଣ ରଖିଛନ୍ତି ସମ୍ବିତ ପାତ୍ର। ଏମିତିକି ଉକ୍ତ ଭୁଲ ପାଇଁ ମହାପ୍ରଭୁଙ୍କ ଚରଣରେ ଦଣ୍ଡବତ ହୋଇ କ୍ଷମା ମାଗୁଛି ବୋଲି ସମ୍ବିତ ସୋଶୋଲ୍ ମିଡିଆ ‘ଏକ୍ସ’ରେ ପ୍ରତିକିୟା ରଖିଛନ୍ତି। ଏହାସହ ଏଭଳି ଭୁଲର ପଶ୍ଚାତାପ ପାଇଁ ୩ ଦିନ ଉପବାସ ରହିବେ ବୋଲି ମଧ୍ୟ କହିଛନ୍ତି।  ଗତକାଲି ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ’ ଅବସରରେ ସମ୍ବିତ ଦେଇଥିବା ମନ୍ତବ୍ୟକୁ ସବୁଆଡେ କଡା ଭାଷାରେ ନିନ୍ଦା କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍‌ କରି ଏହାକୁ ନିନ୍ଦା କରିବା ସହ ଜାତୀୟ ସ୍ତରରେ ମଧ୍ୟ ଏହି ପ୍ରସଙ୍ଗ ଚର୍ଚ୍ଚା ସୃଷ୍ଟି କରିଛି ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରମୁଖ ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି । ଏହା ପରେ ବିଜେପି ଓ ସମ୍ବିତ ବ୍ୟାକଫୁଟରେ ନଜର ଆସିଛି । ଏପର୍ଯ୍ୟନ୍ତ ସମ୍ବିତଙ୍କ ସପକ୍ଷରେ ଦଳ ବିଜେପି ସାମ୍ନାକୁ ଆସିନଥିବା ବେଳେ ସମ୍ବିତ କିନ୍ତୁ ଭିଡିଓ ଜାରି କରି କ୍ଷମା ପ୍ରାର୍ଥନା କରିଛନ୍ତି । ତ୍ରୁଟିବଶତଃ ତାଙ୍କ ମୁଖରେ ଏପରି ଶବ୍ଦ ବାହାରିଯାଇଛି । ସେ ଏଥିପାଇଁ ଅନୁତପ୍ତ ଓ କ୍ଷମା ପ୍ରାର୍ଥନା କରୁଛନ୍ତି । ଆସନ୍ତା 3ଦିନ ପର୍ଯ୍ୟନ୍ତ ଏହାର ପ୍ରାୟଶ୍ଚିତ ସ୍ବରୂପ ଉପବାସ ରଖିବେ ବୋଲି ସମ୍ବିତ କହିଛନ୍ତି ।

 

Comments are closed.