ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତରାତିରେ ଦିଲ୍ଲୀର ଗୋକୁଳପୁରୀ ଅଞ୍ଚଳରେ ଥିବା ବସ୍ତିରେ ବ୍ୟାପକ ଅଗ୍ନିକାଣ୍ଡ ଘଟି ୬୦ଟି ଝୁମ୍ପୁଡ଼ି ଘର ପୋଡ଼ି ଯିବା ସହ ପ୍ରାୟ ୭ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।
ରାତି ପ୍ରାୟ ୧ଟା ବେଳେ ଅଗ୍ନିକାଣ୍ଡ ସଂକ୍ରାନ୍ତରେ ଅଗ୍ନିଶମ ବିଭାଗ ଖବର ପାଇବା ପରେ ଘଟଣାସ୍ଥଳକୁ ୧୩ଟି ଦମକଳ ପଠାଇ ମାତ୍ର ଅଳ୍ପ କେତେ ଘଣ୍ଟା ମଧ୍ୟରେ ନିଆଁ ଲିଭାଇ ଦେଇଥିଲା।
ସୂଚନାଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ନିଆଁ ଲାଗି ଯାଇଥିଲା। ନିଆଁ ଆଖି ପିଛୁଳାକେ ସମଗ୍ର ବସ୍ତିକୁ କାବୁ କରି ନେଇଥିଲା। ଖବର ପାଇ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଏଥିନିମନ୍ତେ ସେମାନଙ୍କୁ ଖୁବ୍ ପରିଶ୍ରମ କରିବାକୁ ପଡ଼ିଥିଲା।
ଏହି ଅଗ୍ନିକାଣ୍ଡରେ ୩୦ରୁ ଉର୍ଦ୍ଧ୍ୱ ଘର ଜଳି ପାଉଁଶ ହୋଇଯାଇଥିବା ବେଳେ ନିଆଁ କବଳରୁ ବହୁ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ହେଲେ ନିଆଁ ଆୟତ୍ତକୁ ଆସିବା ପରେ ଅଗ୍ନିଶମ କର୍ମଚାରୀ ୭ ମୃତଦେହ ଠାବ କରିଛନ୍ତି। ନିଆଁରେ ଜଳି ହୋଇ ସେମାନଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଉତ୍ତରପୂର୍ବ ଦିଲ୍ଲୀର ଆଡିସନାଲ ଡିସିପି ସୂଚନା ଦେଇଛନ୍ତି ।
ସକାଳୁ ସକାଳୁ ଏପରି ଦୁଃଖଦ ଖବର ମିଳିଥିବା ବେଳେ ଘଟଣାସ୍ଥଳକୁ ଯାଇ ପୀଡ଼ିତଙ୍କ ସହ ସାକ୍ଷାତ କରିବି ବୋଲି ଟ୍ୱିଟ କରି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ।