ପୁଣି ଉତ୍ପାତ ମଚାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ: ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଦେଲେ ନିଜେ ବହେ ଖୋବା ଖାଇଲେ
ଓଡିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଉତ୍ପାତ ମଚାଇଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ। ଆନ୍ଦୋଳନରତ ବିଜେପି କର୍ମୀମାନଙ୍କ ଉପରେ ଗାଡ଼ି ଚଢାଇଦେଲେ । ପରେ ଲୋକଙ୍କ ରୋଶର ଶିକାର ହୋଇ ଲହୁଲୁହାଣ ହୋଇଛନ୍ତି ଚିଲିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
ମିଳିଥିବା ସୂଚନା ମୁତାବକ ଆଜି ବାଣପୁର ବ୍ଲକ ଅଫିସରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ବିଜେପି କର୍ମୀମାନେ ଏକ ଶୋଭାଯାତ୍ରାରେ ଯାଉଥିଲେ। । ଏତିକି ବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ କାରରେ ସେହି ଶୋଭାଯାତ୍ରା ମଧ୍ୟରେ ପ୍ରବେଶ କରିବାକୁ ପ୍ରୟାସ କରୁଥିଲେ । ଶୋଭାଯାତ୍ରାକାରୀମାନେ ରାସ୍ତା ନ ଛାଡିବାରୁ ବିଧାୟକ ନିଜ ଗାଡିକୁ ଜୋରରେ ଆଗକୁ ଚଢ଼େଇ ଦେଇଥିଲେ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜେ କାର୍ ଚଳାଉଥିଲେ । ଏହି ଘଟଣାରେ ବାଣପୁର ଆଇଆଇସିଙ୍କ ସମେତ ୨୦ରୁ ଅଧିକ ଆହତ ହୋଇଛନ୍ତି । କିଛି ବିଜେପି ମହିଳା କର୍ମୀଙ୍କ ଗୋଡ଼ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି ।
ଏହାପରେ ଶୋଭାଯାତ୍ରାରେ ସାମିଲ ଥିବା ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ବିଧାୟକଙ୍କ ଉପରକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏଥିରେ ବିଧାୟକଙ୍କ ମୁଣ୍ଡ ଫାଟି ଯାଇଥିବା ବେଳେ ସେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ବାଣପୁର ପରେ ଭୁବନେଶ୍ୱର ଏମ୍ସକୁ ଅଣାଯାଇଛି । ଆକ୍ରମଣରେ ପ୍ରଶାନ୍ତ ଜଗଦ୍ଦେବଙ୍କ କାର୍ ଭାଙ୍ଗିରୁଜି ଯାଇଛି । ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ଅଧିକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପରିସ୍ଥିତି ଉପରେ ବରିଷ୍ଠ ପୋଲିସ ଅଧିକାରୀ ସତର୍କ ନଜର ରଖିଛନ୍ତି ।