ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିଲ୍ଲୀର ସ୍କୁଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଉପରେ ବୋମା ପକାଇ ଉଡ଼ାଇ ଦେବାକୁ ମେଲ୍ ଜରିଆରେ ଧମକ ଆସିଛି। ଫଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏନେଇ ସର୍ଚ୍ଚ ଅପରେଶନ ଜାରି ରହିଛି। ଇମେଲ୍ ଜରିଆରେ କେହି ଜଣେ ଦୁର୍ବୃତ୍ତ ଏହି ଧମକପୂର୍ଣ୍ଣ ମେଲ୍ ପଠାଇଛନ୍ତି। ଫଳରେ ଅକତଙ୍କ ଖେଳି ଯାଇଛି। ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି | ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି।
ଜଣେ ଅଧିକାରୀ କହିଛନ୍ତି ଯେ, ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍ ସ୍କ୍ବାଡ୍ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି। ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି, ପିସିଆର୍ରୁ ଆମକୁ ଏକ କଲ୍ ଆସିଥିଲା ଯେ, ନର୍ଥ ବ୍ଲକ୍ରେ ବୋମାମାଡ଼ ପାଇଁ ଧମକ ଆସିଛି। ଆଜି ଅପରାହ୍ନ ୩.୩୦ ସମୟରେ ଏହି କଲ୍ ଆସିଥିଲା। ସର୍ଚ୍ଚ ଅପରେଶନରେ ଏପର୍ଯ୍ୟନ୍ତ କିଛି ମିଳିନାହିଁ। ନର୍ଥ ବ୍ଲକ ହେଉଛି ସେହି କ୍ଷେତ୍ର, ଯେଉଁଠାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସହିତ ଅନେକ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ରହିଛି। ଜଣେ ପୁଲିର ଜଣେ ବରିଷ୍ଠ ଅଫିସରଙ୍କ ପାଖକୁ ଏହି ଇ-ମେଲ୍ ଆସିଥିଲା। ତେବେ ଖୋଜାଖୋଜି ପରେ ମଧ୍ୟ କୌଣସି ସନ୍ଦିଗ୍ଧ ଜିନିଷ ମିଳିନଥିଲା।
ଏହାପରେ ଏହି ଧମକପୂର୍ଣ୍ଣ ଇ-ମେଲ୍ ଫେକ୍ ଥିବା କହିଥିଲା ପୁଲିସ। ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ବୋମା ଧମକ ଆସୁଛି। ଚଳିତ ବର୍ଷ ମେ’ ୧ରେ ଦିଲ୍ଲୀ-ଏନ୍ସିଆରର ୧୫୦ରୁ ଅଧିକ ସ୍କୁଲକୁ ଇ-ମେଲ୍ ଜରିଆରେ ବୋମାମାଡ଼ ଧମକ ଆସିଥିଲା। ଏହା ପରେ ଚାରିଆଡେ ଆତଙ୍କ ଖେଳି ଯାଇଥିଲା। ଏହାର କିଛି ଦିନ ପରେ, ଡାକ୍ତରଖାନାଗୁଡ଼ିକୁ ମଧ୍ୟ ମେଲ୍ ଜରିଆରେ ସମାନ ଧମକ ଆସିଥିଲା। ତେବେ ଆଇପି ଆଡ୍ରାସ୍ରୁ ବିଦେଶରୁ ଏହି ଧମକପୂର୍ଣ୍ଣ ମେଲ୍ ପଠା ଯାଇଥିବା ନେଇ ସୂଚନା ମିଳିଥିଲା।