ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଲଗାତାର ତୃତୀୟ ଥର ପାଇଁ ବିଶ୍ୱର ସର୍ବବୃହତ୍ତ ଗଣତନ୍ତ୍ର ରାଷ୍ଟ୍ର ଭାରତରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ଜୁନ୍ ୮ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ମୋଦି। ଏହି ଶପଥ ସମାରୋହରେ ଯୋଗଦେବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମେସିଂହେ ମଧ୍ୟ ଉପସ୍ଥିତ ରହିବେ। ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଭୁଟାନ, ନେପାଳ ଏବଂ ମରିସସର ନେତାମାନଙ୍କୁ ମଧ୍ୟ ନିମନ୍ତ୍ରଣ କରାଯିବାର ସମ୍ଭାବନା ରହିଛି।
୨୦୧୯ ଲୋକସଭା ନିର୍ବାଚନ ପରେ BIMSTEC ରାଷ୍ଟ୍ରର ନେତାମାନଙ୍କୁ ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଥିଲା। ଲୋକସଭା ନିର୍ବାଚନରେ ୨୯୩ ଟି ଆସନ ଜିତି ବିଜେପି ନେତୃତ୍ୱାଧୀନ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଥିବାରୁ ମୋଦୀ ଜୁନ୍ ୮ ତାରିଖ ରାତି ୮ଟାରେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି ବୋଲି ସୂତ୍ରରୁ ପ୍ରକାଶ। ବିରୋଧୀ ଇଣ୍ଡିଆ ମେଣ୍ଟ୍ ଏକଜିଟ୍ ପୋଲ୍ ପୂର୍ବାନୁମାନକୁ ଖଣ୍ଡନ କରି ୨୩୪ ଟି ସିଟ୍ ସୁରକ୍ଷିତ ରଖିଛି। ୨୦୧୯ ମସିହାରେ ଏହି କାର୍ଯ୍ୟକ୍ରମରେ ଭିଭିଆଇପି ସମେତ ୮ ହଜାର ଅତିଥି ଯୋଗ ଦେଇଥିଲେ। ୨୦୧୪ ମସିହାରେ ଯେତେବେଳେ ମୋଦୀ ତାଙ୍କର ପ୍ରଥମ କାର୍ଯ୍ୟକାଳ ପାଇଁ ଶପଥ ଗ୍ରହଣ କରିଥିଲେ ସେତେବେଳେ ତତ୍କାଳୀନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସମେତ ସମସ୍ତ ସାର୍କ ନେତାମାନେ ଯୋଗ ଦେଇଥିଲେ।
ବୁଧବାର ଦିନ ପ୍ରଧାନମନ୍ତ୍ରୀ ନିର୍ବାଚିତ ମୋଦୀ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହଙ୍କୁ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଛନ୍ତି ବୋଲି ପିଟିଆଇ ସୂତ୍ରରୁ ପ୍ରକାଶ। ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ନିଶ୍ଚିତ କରାଯାଇଛି। ମୋଦୀ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏକ ଫୋନ୍ ବାର୍ତ୍ତାଳାପ ମଧ୍ୟ କରିଥିଲେ ଓ ତାଙ୍କୁ ମଧ୍ୟ ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ କରିଛନ୍ତି।