ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଘର ବାହୁଡା ହେଲେ ହିମାଂଶୁ । ଧର୍ମଶାଳାରୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ପୁଣି ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ହିମାଂଶୁ । ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ୪୧୫୦ ଭୋଟ୍ରେ ବିଜେଡିର ପାୱାରଫୁଲ୍ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ହିମାଂଶୁଙ୍କ ସମର୍ଥକଙ୍କ ଭିତରେ ଖୁସିର ଲହର ଖେଳି ଯାଇଛି।
ବିଜୟ ପରେ ମଙ୍ଗଳବାର ରାତିରେ ସେ ବିଜେପିରେ ପୁଣି ଥରେ ସାମିଲ୍ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କ ଉପସ୍ଥିତିରେ ହିମାଂଶୁ ଶେଖର ସାହୁ ବିଜେପିରେ ମିଶିଛନ୍ତି। ଯାଜପୁର ଜିଲ୍ଲାର ଚର୍ଚ୍ଚିତ ବିଧାନସଭା ଆସନ ହେଉଛି ଧର୍ମଶାଳା। ଏହି ନିର୍ବାଚନମଣ୍ଡଳୀରୁ କଳ୍ପତରୁ ଦାସ ଲଗାତାର ୪ ଥର ବିଜୟୀ ହୋଇଥିଲେ।
କଳ୍ପତରୁଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ପ୍ରଣବ କୁମାର ବଳବନ୍ତରାୟ ଲଗାତାର ଦୁଇ ଥର ବିଜୟୀ ହୋଇଥିଲେ। ହେଟ୍ରିକ୍ ମାରିବା ପୂର୍ବରୁ ଚିତ୍ପଟାଙ୍ଗ ହୋଇଛନ୍ତି ପ୍ରଣବ ବଳବନ୍ତରାୟ। ତାଙ୍କୁ ଚକ୍ମା ଦେଇଥିଲେ ସ୍ୱାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁ। ଚଳିତ ନିର୍ବାଚନରେ ତାଙ୍କୁ ପରାସ୍ତ କରିଛନ୍ତି। ହିମାଂଶୁ ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟ ବିପକ୍ଷରେ ସ୍ୱାଧୀନ ଭାବେ ଲଢି ତାଙ୍କୁ ୪ ହଜାର ୧୫୦ ଭୋଟ୍ ରେ ମାତ୍ ଦେଇଥିଲେ । ତେବେ ହିମାଂଶୁଙ୍କ ଯୋଗଦାନ ପରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।