ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଗର୍ଭବତୀ ମହିଳାଙ୍କୁ ନେଇ ଆସୁଥିବା ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା। ଗର୍ଭବତୀ ମହିଳା ଗୁରୁତର ଥିବା ବେଳେ ତାଙ୍କ ସହ ଥିବା ୨ ସମ୍ପର୍କୀୟ ମହିଳା ମଧ୍ୟ ଆହତ ହୋଇ ବାରିପଦା ପିଆରଏମ୍ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣା ମୁତାବକ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅନ୍ଧାରୀ ଗାଁ ର ‘କାନ୍ତ ହେମ୍ବ୍ରମ’ ଙ୍କ ସ୍ତ୍ରୀ ‘ସୋମବାରୀ ହେମ୍ବ୍ରମ’ ଙ୍କୁ ପ୍ରସବ ପାଇଁ ମଙ୍ଗଳବାର ସନ୍ଧ୍ୟା ସମୟରେ ନିକଟସ୍ଥ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।
ତେବେ ରାତିରେ ସ୍ଥିତି ଉଦବେଗ ହେବାରୁ ତାଙ୍କୁ ରାସଗୋବିନ୍ଦପୁର ଡାକ୍ତରଖାନାରୁ ବାରିପଦା ପିଆରଏମ୍ ଡାକ୍ତରଖାନାକୁ ରେଫର କରାଇଥିଲେ । ଗର୍ଭବତୀଙ୍କ ସହ ଦିଦି କୁଇଲି ହେମ୍ରମ ଓ କାକୀ ସିନଗୋ ହେମ୍ରମ ଏବଂ ସ୍ବାମୀ କାନ୍ତ ହେମ୍ବ୍ରମ ମଧ୍ୟ ଉକ୍ତ ୧୦୮ ଆମ୍ବୁଲାନ୍ସ ରେ ବାରିପଦା ଆସୁଥିଲେ। ଆସୁଥିବା ସମୟରେ ରାତି ପାଖାପାଖି ୩ଟା ସମୟରେ ବାରିପଦା ସଦରଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ସ୍ଥିତ ସାରୁଝରଣ ନିକଟରେ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ରାସ୍ତା କଡକୁ ପସିଯିବା ସହ ଓଲଟି ପଡିଥିଲା। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯିବା ପରେ କୌଣସି ପ୍ରକାରରେ କାନ୍ତ ଗାଡିର କାଚଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରିଥିଲେ।
କାଚ ଭାଙ୍ଗିବାର ଶବ୍ଦ ଶୁଣି ସ୍ଥାନୀୟ ଗ୍ରାମବାସୀ ମାନେ ପହଞ୍ଚି ଅନ୍ୟ ଏକ ଆମ୍ବୁଲାନ୍ସ ଡକାଇ ବାରିପଦା ହସ୍ପିଟାଲକୁ ପଠାଇଥିଲେ। ଗର୍ଭବତୀ ସୋମବାରୀଙ୍କ ହାତରେ ଗଭୀର ଆଘାତ ଲାଗିଥିବା ବେଳେ ଯାଇଥିବାବେଳେ ତାଙ୍କୁ ପ୍ରସବ ପାଇଁ ଗୃହରେ ଭର୍ତ୍ତି କରାଯାଇଛି। ସେପଟେ ସାଙ୍ଗରେ ଆସୁଥିବା ୨ ସଂପର୍କୀୟଙ୍କୁ ମଧ୍ୟ ଆହାତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।