ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ମୌସୁମୀ ସକ୍ରିୟ ରହିଛି। ପ୍ରାୟ ସମସ୍ତ ଜିଲାରେ ବର୍ଷା ହେଉଛି। କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି। ତେବେ ବଙ୍ଗୋପସାଗରରେ ଏବେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆସନ୍ତା ୬ ତାରିଖରୁ ସାରା ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘୋଷଯାତ୍ରା ଦିନ ଅର୍ଥାତ୍ ୭ ତାରିଖରେ ପୁରୀରେ ପ୍ରବଳ ବର୍ଷା(୭୦ରୁ ୧୧୦ ମିମି) ହୋଇପାରେ।
ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ(୧୨୦ରୁ ୨୦୦ ମିମି) ଏବଂ ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ମୟୂରଭଞ୍ଜ ଓ କେନ୍ଦୁଝରରେ ପ୍ରବଳ ବର୍ଷା ହେବ। ୮ ତାରିଖରେ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ।
ଏଥିସହ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ପଶ୍ଚିମ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ରହିଥିବାରୁ ସାରା ଓଡ଼ିଶାରେ ବର୍ଷା ଲାଗିରହିବ। ଆସନ୍ତା ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।