ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଜୁଲାଇ ୧୪ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ। କେବଳ ପରିଚାଳନା କମିଟି ଯେଉଁ ଏସଓପି ସୁପାରିଶ କରିଛି ତାର ବିଭିନ୍ନ ଦିଗକୁ ଯାଞ୍ଚ କରାଯିବ। ନୀତିକାନ୍ତି ସହ ଖାପ ଖୁଆଇ ସବୁ ଦିଗକୁ ସୁବିଧା ହେବା ଭଳି ନିଷ୍ପତ୍ତି ନିଆଯିବ।’
ଆଜି ଏପରି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏନେଇ ମନ୍ତ୍ରୀ କହିଛନ୍ତି, ଜୁଲାଇ ୧୪ରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର ଖୋଲିବା ପ୍ରାୟତଃ ସ୍ପଷ୍ଟ । ରତ୍ନଭଣ୍ଡାର ଯାଞ୍ଚ କମିଟିର ସୁପାରିଶକୁ ପରିଚାଳନା କମିଟି ମୋହର ମାରିଛି ବୋଲି କହିଛନ୍ତି ମନ୍ତ୍ରୀ । ପରିଚାଳନା କମିଟିର ସୁପାରିଶ ଆଜି ପହଞ୍ଚିବା ପରେ ଏହାକୁ ଯାଞ୍ଚ କରାଯିବ । ଏହା ସହିତ ଯେଉଁ ଏସଓପି ସୁପାରିଶ ହୋଇଛି ତାକୁ ମଧ୍ୟ ଯାଞ୍ଚ କରାଯିବ । ଏହାପରେ ସମସ୍ତ ପ୍ରସ୍ତୁତି ପରେ ୧୪ରେ ରତ୍ନଭଣ୍ଡାର ଖେଲାଯାଇପାରେ । ମିଳିଥିବା ସୂଚନା ଅନୁସାରେ, ପୂର୍ବରୁ ଜୁଲାଇ ୮ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ନେଇ କୁହାଯାଇଥିଲା।
ମାତ୍ର ଏହା ପୂର୍ବରୁ ୭ ତାରିଖରେ ରଥଯାତ୍ରା ଥିବାରୁ ଏ ନେଇ କିଛି ସ୍ପଷ୍ଟ ହୋଇପାରି ନ ଥିଲା। ଗତ ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିଥିବାବେଳେ ଯାଞ୍ଚ କମିଟି ପକ୍ଷରୁ ୧୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ବୈଠକରେ ଅନୁମୋଦନ ମିଳିଥିଲା। ଏହା ପରେ ଗୁରୁବାର ଆଇନମନ୍ତ୍ରୀ ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ୧୪ ତାରିଖରେ ରତ୍ନଭଣ୍ଡାର ଖୋଲାଯିବା ପ୍ରାୟତଃ ସ୍ପଷ୍ଟ ବୋଲି ସେ କହିଛନ୍ତି।