ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ଶ୍ରୀଜିଉଙ୍କ ସୁନାବେଶ। ମହଣ ମହଣ ସୁନାରେ ବିଭୂଷିତ ହୋଇ ଦର୍ଶନ ଦେବେ ଚତୁର୍ଦ୍ଧା ମୂର୍ତ୍ତି। ବୁଧବାର ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସୁନାବେଶ(ବଡ଼ତଢ଼ାଉ ବେଶ) ଅନୁଷ୍ଠିତ ହେବ। ବାହୁଡ଼ାଯାତ୍ରା ସାରି ଫେରିବା ପରେ ସିଂହଦ୍ବାରରେ ରଥ ଉପରୁ ଅଗଣିତ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ତିନି ଠାକୁର। ମହାବାହୁ ମହଣ ମହଣ ରତ୍ନଖଚିତ ସୁବର୍ଣ୍ଣ ଅଳଙ୍କାର ପିନ୍ଧି ବଡ଼ଦାଣ୍ଡରେ ଦେବେ ଦର୍ଶନ। ସୁନାର କିରୀଟ, କୁଣ୍ଡଳ, ରତ୍ନଖଚିତ ଘାଗଡ଼ା ମାଳି, ବାହାଡ଼ା ମାଳି, ତାବିଜ ମାଳି, ହରିଡ଼ା ମାଳି, କଦମ୍ୱ ମାଳି, ବାଘନଖୀ ମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତିଳକ, ଆଡ଼କାନି, ଚନ୍ଦ୍ର-ସୂର୍ଯ୍ୟ, ଅଳକା, ଓଡ଼ିଆଣୀ, ଚନ୍ଦ୍ରିକା, ତଡ଼ଗି ଆଦି ଅଳଙ୍କାର ପିନ୍ଧି ଶ୍ରୀଜିଉ ଦର୍ଶନ ଦେବେ।।
ଏଥିପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ସକାଳ ୬ଟାରୁ ମଙ୍ଗଳ ଆଳତି ନୀତି ହୋଇଥିବା ବେଳେ ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି ହେବ। ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ହେବ। ଆଉ ସନ୍ଧ୍ୟା ୫ଟାରୁ ସାଢେ ୬ଟା ମଧ୍ୟରେ ହେବ ସୁନାବେଶ। ରାତି ୧୦ଟା କିମ୍ବା ୧୧ଟା ଯାଏଁ ଏହି ଦୁର୍ଲଭ ବେଶ ଦର୍ଶନର ସୁଯୋଗ ପାଇବେ ଶ୍ରଦ୍ଧାଳୁ। ମହାପ୍ରଭୁଙ୍କ ସୁନା ବେଶରେ ବ୍ୟବହୃତ ଅଳଙ୍କାର ସବୁ ଗତ ୧୪ ତାରିଖରେ ଅସ୍ଥାୟୀ ବାହାର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତର କରାଯାଇଛି। ତେଣୁ ସେଠାରୁ ହିଁ ଆଜି ଅଳଙ୍କାର ଅଣାଯାଇ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ସଂପନ୍ନ ହେବ। ଅପରପକ୍ଷେ ମହାପ୍ରଭୁଙ୍କ ସୁନାବେଶର ଅଳଙ୍କାର ବାହାର ରତ୍ନଭଣ୍ଡାରରେ ରହିଥାଏ। ଯେହେତୁ ରତ୍ନଭଣ୍ଡାର ମରାମତି ସହ ଅଳଙ୍କାର ଗଣତି ଓ ମଣତି ପ୍ରକ୍ରିୟା ଜାରି ରହିଛି, ବାହାର ରତ୍ନଭଣ୍ଡାର ଅଳଙ୍କାର ଚାଙ୍ଗଡ଼ା ଘରଠାରେ ହୋଇଥିବା ଅସ୍ଥାୟୀ ରତ୍ନଭଣ୍ଡାର ବା ଷ୍ଟ୍ରଙ୍ଗରୁମକୁ ସ୍ଥାନାନ୍ତର କରାଯାଇଛି।
ଏହାକୁ ଜଉମୁଦ ଦେଇ ସିଲ୍ କରାଯାଇଛି। ଏଣୁ ବୁଧବାର ଟ୍ରେଜେରିରୁ ଚାବି ଆସିବା ପରେ ଏହି ଷ୍ଟ୍ରଙ୍ଗରୁମ ଖୋଲାଯାଇ ମହାପ୍ରଭୁଙ୍କ ସୁନାବେଶ ଅଳଙ୍କାର ଅଣାଯିବ। ଯାହା ମାର୍ଗଦର୍ଶିକା ଅଛି, ସେହି ଆଧାରରେ ଅଳଙ୍କାର ଅଣାଯିବ ଓ ପୁଣି ସେହିଠାରେ ରଖାଯିବ। ପୁଣି ଜଉମୁଦ ଦେଇ ସିଲ୍ ପରେ ତାଲା ଚାବି ଜିଲ୍ଲା ଟ୍ରେଜେରିରେ ରଖିବାକୁ ଜିଲ୍ଲାପାଳଙ୍କୁ ହସ୍ତାନ୍ତର ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି। ନିର୍ଘଣ୍ଟ ନୀତି ଅନୁଯାୟୀ, ବୁଧବାର ଭୋର ୬ଟାରୁ ସାଢ଼େ ୬ଟା ଭିତରେ ତିନି ରଥରେ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତି ବଢ଼ିବ।