ଓ୍ୱାୟନାଡ ଭୂସ୍ଫଳନ: ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେରଳ ୱାଏନାଡ ଭୂସ୍ଖଳନ ଘଟଣାରେ ମୃତକଙ୍କ ସଂଖ୍ୟା ୨୫୦ରୁ ଅଧିକକୁ ବୃଦ୍ଧି। କେବଳ ଚେଲିୟାର ନଦୀରୁ ଏପର୍ଯ୍ୟନ୍ତ ମିଳିଲାଣି ୮୦ରୁ ଅଧକ ଶବ । ଏବେବି ୧୯୦ରୁ ଅଧିକ ଲୋକେ ନିଖୋଜ ଅଛନ୍ତି। ସେପଟେ କେରଳରେ ବର୍ଷା ଥମିବାର ନାଁ ନେଉ ନାହିଁ। ପ୍ରବଳ ବର୍ଷା ଭିତରେ ହିଁ ଚାଲିଛି ମାଟି ତଳୁ ଜୀବନ ଖୋଜା। ଗତରାତିରେ ୨୦ ଘଣ୍ଟା ଧରି ଚାଲିଥିବା ଉଦ୍ଧାର ଅପରେସନ୍‌ ଅସ୍ଥାୟୀ ଭାବେ ବନ୍ଦ ରହିବା ପରେ ଆଜି ସକାଳୁ ପୁଣି ଏହା ଆରମ୍ଭ ହୋଇଛି। ଏଯାବତ ଉଦ୍ଧାର ହୋଇଥିବା ୨୭୦ ମୃତଦେହ ମଧ୍ୟରୁ ୧୦୩ ଜଣଙ୍କ ପରିଚୟ ଜଣାପଡ଼ିଛି।

ରାଜସ୍ବ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ୨ ଜଣ ଅଧିକାରୀ ୱାଏନାଡ ଯାଇଥିବା ବେଳେ ଆଜି ସେଠାରେ ମୃତଦେହ ଚିହ୍ନଟ କରାଯିବ। ଦୁଇ ଜଣ ଅଧିକାରୀ କେରଳ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି। ମୃତକଙ୍କ ପରିବାର ଲୋକେ ମଧ୍ୟ ୱାଏନାଡ ଅଭିମୁଖେ ଗସ୍ତ କରିଛନ୍ତି। ସେପଟେ ମୃତ ଡାକ୍ତରଙ୍କ ପତ୍ନୀ ଓ ନିଖୋଜ ଡାକ୍ତରଙ୍କ ବାନ୍ଧବୀ ଉଭୟ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏବେ ଚିକିତ୍ସାଧୀନ ଅଛନ୍ତି। ୧୬୭ ମର ଶରୀରର ବ୍ୟବଚ୍ଛେଦ ‌ଶେଷ ହୋଇଛି। ୫୨ଟି ମର ଶରୀରକୁ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଅନେକ ‌ଲୋକ ମାଟି ତଳେ ପୋତି ହୋଇଯାଇଥିବା ସନ୍ଦେହ କରାଯାଉଥିବାରୁ ସେନା, ଅଗ୍ନିଶମ ବାହିନୀ ଏବଂ ଏନ୍‌ଡିଆର୍‌ଏଫ୍‌ ଉଦ୍ଧାରରେ ଅହରହ ନିୟୋଜିତ ରହିଛନ୍ତି।

ଗତକାଲି ଚେଲିୟାର ନଦୀରୁ ୨୬ ଜଣଙ୍କ ମୃତଦେହ ମିଳିଥିବା ବେଳେ ଆଜି ୮୩ଟି ଶବ ମିଳିଛି। ପାଖାପାଖି ୨୦୦ ଲୋକ ଏବେ ବିଭିନ୍ନ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୱାୟନାଡ଼ ବିପର୍ଯ୍ୟୟ ପାଇଁ ୪୫ଟି ରିଲିଫ୍‌ ଶିବିର ଖୋଲାଯାଇଛି। ଏଠାରେ ୩ ହଜାରରୁ ଅଧିକ ଲୋକ ରହୁଛନ୍ତି। ଭୂସ୍ଖଳନରେ ୫ଟି ଗାଁ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ମୁଣ୍ଡାକ୍କାଇ ଏବଂ ଚୁରାଲମାଲାରେ ୩୦୦ରୁ ଅଧିକ ଘର ମାଟିରେ ମିଶି ଯାଇଛି।

Comments are closed.