ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ସକ୍ରିୟ ମୌସୁମୀ ପ୍ରଭାବରେ କାଲିଠୁ ରାଜ୍ୟରେ ବର୍ଷାର ପରିମାଣ ବଢିବ। ପ୍ରବଳ ବର୍ଷା ନେଇ ଆସନ୍ତାକାଲି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
କେନ୍ଦୁଝର, ଭଦ୍ରକ, ଯାଜପୁର, କଟକ, କେନ୍ଦ୍ରାପଡ଼ା, ଢେଙ୍କାନାଳ, ବାଲେଶ୍ବର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତ୍ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାରେ ପ୍ରବଳ ବର୍ଷା ହୋଇପାରେ। ବାକି ଜିଲ୍ଲାଗୁଡ଼ିକରେ କାଳବୈଶାଖୀ ପ୍ରଭାବ ରହିବ। ୭ ତାରିଖରେ କଟକ, ବୌଦ୍ଧ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଉତ୍ତର ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।
୮ ତାରିଖରେ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପ୍ରଭାବ ରହିବ। ସେହିପରି ୭ ତାରିଖ ପାଇଁ ୬ ଜିଲ୍ଲା ଅନୁଗୋଳ, ଢେଙ୍କାନାଳ, କଟକ, ବୌଦ୍ଧ, ସମ୍ବଲପୁର ଏବଂ ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର। ଏହି ସମୟରେ ୧୨ରୁ ୨୦ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।