ପୌର ନିର୍ବାଚନ ଭୋଟ ଗ୍ରହଣ ପ୍ରସ୍ତୁତି ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପୌର ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାବେଳେ ନିର୍ବାଚନ ଭୋଟ ଗ୍ରହଣକୁ ନେଇ ନିର୍ଦ୍ଧାରିତ ସମୟ ସୀମା ବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନ। ମାର୍ଚ୍ଚ ୨୪ ତାରିଖ ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର।
ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ପ୍ରତି ବୁଥରେ ଦୁଇଟି ଇଭିଏମ୍ ରହିବ। ଭୋଟ ଗ୍ରହଣ ପାଇଁ ରାଜ୍ୟର ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହେବେ। ୨୩ ତାରିଖ ଅପରାହ୍ନ ସୁଦ୍ଧା ସବୁ ପୋଲିଂ କର୍ମଚାରୀଙ୍କୁ ନିଜ ନିଜ ବୁଥରେ ପହଞ୍ଚିବାକୁ କୁହାଯାଇଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ଯାଏ ପୌର ନିର୍ବାଚନ ଲାଗି ଭୋଟ ଗ୍ରହଣ କରାଯିବ। ୨୬ ତାରିଖ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇ ଗଣତି ସରିବା ଯାଏ କାମ ଜାରି ରହିବ।
ନିର୍ବାଚନ ବେଳେ କଡାକଡି ହେବ ସୁରକ୍ଷା ବ୍ୟବସ୍ଥା । ସୁରକ୍ଷା ଦାୟିତ୍ୱରେ ୧୯୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ବିଏମସି ପାଇଁ ୩୦ପ୍ଲାଟୁନ, ସିଏମସି ପାଇଁ ୨୦ପ୍ଲାଟୁନ ଓ ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନ ପାଇର୍ ୧୦ ପ୍ଲାଟୁନ ଫୋର୍ସ ରହିବେ । ଏହା ସହ ୩୦୦ ମୋବାଇଲ ପାର୍ଟି ରହିବେ ଯେଉଁଥିରୁ ୩ ମହାନଗର ନିଗମ ପାଇଁ ୧୦୯ଟି ପାର୍ଟି ରହିବେ । ନିର୍ବାଚନ ହେଉଥିବା ପ୍ରତ୍ୟେକ ପୌରପରିଷଦର ପୋଲିସ ଷ୍ଟେସନରେ ଗୋଟିଏ ଲେଖାଏଁ ଷ୍ଟ୍ରାଇକିଂ ଫୋର୍ସ ରହିବେ ବୋଲି ସୂଚନା ରହିଛି।