ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଏକତରଫା ପ୍ରେମକୁ ବିରୋଧ କରିବାରୁ ଯୁବତୀଙ୍କ ଦାଦାକୁ ହତ୍ୟା କଲା ପାଗଳପ୍ରେମୀ। ଝିଆରୀଠୁ ଦୂରେଇ ରହିବାକୁ ଚେତାବନୀ ବି ଦେଲେ। ମାତ୍ର ପ୍ରେମକୁ ଭୁଲି ପାରୁ ନ ଥିବା ନାବାଳକ ସାଜିଲେ ରକ୍ତମୁଖା। ଆଉ ରାସ୍ତାରେ କଣ୍ଟା ସାଜିଥିବା ଦାଦାଙ୍କୁ ହଟାଇବାକୁ ପାଲଟିଗଲେ ଜହ୍ଲାଦ । ଏପରିକି ରାତି ଅଧରେ ବାଇକ୍‌ରେ ଫେରୁଥିବା ଯୁବତୀଙ୍କ ଦାଦାଙ୍କ ବେକକୁ ଖଣ୍ଡାରେ ଚୋଟ ପକାଇଲେ। ଫଳରେ ଆଖି ପିଛୁଳାକେ ମୁଣ୍ଡରୁ ଗଣ୍ଡି ଅଲଗା ହୋଇଗଲା।

ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୁଲିସ, ସାଇଣ୍ଟିଫିକ୍‌‌ ଟିମ୍‌‌ ଓ ଡିସିପି ପ୍ରତୀକ ସିଂହ ପହଞ୍ଚି ତଦନ୍ତ କରୁଛନ୍ତି। ମୃତକ ଜଗା ମଲ୍ଲିକ। ଖଣ୍ଡଗିରି ଥାନାରେ ହତ୍ୟାକାଣ୍ଡ ନେଇ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ନାବାଳକ ସହ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ। ଏକତରଫା ପ୍ରେମକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ ଜଗାଙ୍କ ଝିଆରୀକୁ ସେହି ସାହିର ଜଣେ ଯୁକ୍ତ ଦୁଇରେ ପାଠପଢୁଥିବା ଛାତ୍ର ଏକତରଫା ଭାବେ ଭଲ ପାଉଥିଲା। ଯାହକୁ ବିରୋଧ କରିଥିଲେ ଜଗା।

ତେଣୁ ଜଗାଙ୍କୁ ରାସ୍ତାରୁ ହଟାଇବା ପାଇଁ ଏଭଳି ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ କହିଛି। ଶୁକ୍ରବାର ରାତି ୧୨ଟାରେ ବାଇକ ଯୋଗେ ଜଗା ଘରକୁ ଫେରୁଥିବା ବେଳେ ଯୁବକ ଜଣଙ୍କ ଖଣ୍ଡାରେ ତାଙ୍କ ବେକକୁ କାଟି ଦେଇଥିଲା। ପୂର୍ବ ଯୋଜନା ମୁତାବକ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୁଲିସ କହିଛି। ଘଟଣାରେ ଛାନଭିନ ଆରମ୍ଭ ହୋଇଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତକଙ୍କ ପରିବାର ଲୋକ ଦାବି କରିଛନ୍ତି।

 

Comments are closed.