ଆଜି ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ !

ଓଡ଼ିଆ ନ୍ୟୁଜ,(ବ୍ୟୁରୋ):  ଅବପାତ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ଆଜି ଉତ୍ତର ଓଡିଶାରେ ପ୍ରବଳ ବର୍ଷିବ। ପାଣିପାଗ ବିଭାଗର ସୂଚନା ପରେ ଜିଲ୍ଲାପାଳମାନଙ୍କୁ ସତର୍କ କରାଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନ (ଏସଆରସି) । ବର୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

ପ୍ରବଳ ବର୍ଷା କାରଣରୁ ମାଟି ଘର ଭାଙ୍ଗିବା ସହ ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମିପାରେ । ଏହା ସହ କିଛି ସ୍ଥାନରେ ନଦୀରେ ଜଳସ୍ତର ବୃଦ୍ଧି ଘଟିବାର ଆଶଙ୍କା ପ୍ରକାଶ କରିଛନ୍ତି ଏସଆରସି ।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଗଭୀର ଅବପାତ ରବିବାର ସୁଦ୍ଧା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରି ଝାଡଖଣ୍ଡ ଓ ଉତ୍ତର ଛତିଶଗଡ଼ ଆଡକୁ ଅଗ୍ରସର ହେବ ।

ଏହାର ପ୍ରଭାବରେ ସୋମବାର ସକାଳ ସମୟରେ ମୟୂରଭଞ୍ଜ ଜିଲ୍ଲାରେ କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ବରଗଡ଼, ସୋନପୁର, ଅନୁଗୋଳ, କେନ୍ଦୁଝର ଓ ଦେବଗଡ ଜିଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ସବୁ ଜିଲାଗୁଡ଼ିକୁ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।

Comments are closed.