ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ। ଜଣେ ରତ୍ନଙ୍କୁ ହରାଇଛି ଭାରତ । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ କୋଲାବାସ୍ଥିତ ବାସଭବନରେ ତାଙ୍କର ମର ଶରୀରକୁ ରଖାଯାଇଛି। ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ଏନସିପିଏରେ ବହୁ ବିଶିଷ୍ଠ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିବେ।
ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ବିୟୋଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକ ପ୍ରକାଶ କରିଛନ୍ତି। କର୍ପୋରେଟ୍ ଅଭିବୃଦ୍ଧିକୁ ରାଷ୍ଟ୍ର ନିର୍ମାଣ ଏବଂ ଉତ୍କର୍ଷତାକୁ ନୈତିକତା ସହ ଯୋଡ଼ିଥିବା ଜଣେ ଚେହେରାକୁ ଭାରତ ହରାଇଛି। ପଦ୍ମବିଭୂଷଣ ଏବଂ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ସେ ଟାଟାଙ୍କ ମହାନ ପରମ୍ପରାକୁ ଆଗକୁ ବଢ଼ାଇଥିଲେ ଏବଂ ଏହାକୁ ଆହୁରି ପ୍ରଭାବଶାଳୀ ବିଶ୍ୱସ୍ତରୀୟ ଉପସ୍ଥିତି ପ୍ରଦାନ କରିଥିଲେ । ମୁଁ ତାଙ୍କ ପରିବାର, ଟାଟା ଗ୍ରୁପର ସମଗ୍ର ଟିମ୍ ଏବଂ ସମଗ୍ର ବିଶ୍ୱରେ ଥିବା ତାଙ୍କ ପ୍ରଶଂସକଙ୍କୁ ମୋର ସମବେଦନା ଜଣାଉଛି ବୋଲି ରାଷ୍ଟ୍ରପତି ଶୋକବାର୍ତ୍ତାରେ କହିଛନ୍ତି।
ରତନ ଟାଟାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ ରତନ ଟାଟା ଜଣେ ଦୂରଦର୍ଶୀ ଶିଳ୍ପପତି, ଦୟାଳୁ ଏବଂ ଜଣେ ଅସାଧାରଣ ମଣିଷ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି ଯେ ସେ ତାଙ୍କ ନମ୍ରତା, ଦୟା ଏବଂ ଆମ ସମାଜର ଉନ୍ନତି ପାଇଁ ଅତୁଟ ପ୍ରତିବଦ୍ଧତା ଯୋଗୁଁ ଅନେକଙ୍କ ମଧ୍ୟରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। ରତନ ଟାଟାଙ୍କ ବିୟୋଗରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ଗୃହମନ୍ତ୍ରୀ ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ଟାଟା ଗ୍ରୁପକୁ ଶୀର୍ଷ ସ୍ତାନରେ ପହଞ୍ଚାଇବାରେ ତାଙ୍କର ପ୍ରମୂଖ ଭୂମିକା ଥିଲା।