ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପତ୍ନୀଙ୍କ ସହ ଫୋନ୍ରେ ଝଗଡ଼ା ବେଳେ ସ୍ୱାମୀଙ୍କ ପାଟିରୁ ବାହାରିଗଲା ‘ଓକେ’ । ଫଳରେ ରଙ୍ଗରୁଟ୍ରେ ଚାଲିଗଲା ଟ୍ରେନ୍ ଓ ରେଳବାଇକୁ ସହିବାକୁ ପଡ଼ିଲା ୩ କୋଟିର କ୍ଷତି। ଏହି ମାମଲାରେ ସମ୍ପୃକ୍ତ ଷ୍ଟେଶନ ମାଷ୍ଟରଙ୍କୁ ସସ୍ପେଣ୍ଡ କରାଯାଇଥିଲା। ଏବେ ଉକ୍ତ ଘଟଣାର ଦ୍ୱାହି ଦେଇ ନିଲମ୍ବିତ ଷ୍ଟେଶନ ମାଷ୍ଟର ଛାଡ଼ପତ୍ର ପାଇଁ ଆବେଦନ କରିଥିବା ବେଳେ ତାହାକୁ ମଞ୍ଜୁର କରିଛନ୍ତି ଛତିଶଗଡ଼ ହାଇକୋର୍ଟ।
ସୂଚନା ଅନୁଯାୟୀ, ବିଶାଖାପାଟଣାରେ ରହୁଥିବା ଷ୍ଟେସନ ମାଷ୍ଟର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ କିଛି ଦିନ ଧରି ବିବାଦ ଲାଗି ରହିଥିଲା। ଏସବୁ ମଧ୍ୟରେ ଡ୍ୟୁଟିରେ ଥିବାବେଳେ ଷ୍ଟେସନ ମାଷ୍ଟରଙ୍କୁ ତାଙ୍କ ପତ୍ନୀଙ୍କ ଏକ କଲ ଆସିଥିଲା ଏବଂ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ ଗୋଟିଏ ହାତରେ ସେ ଅଫିସ୍ ଫୋନରେ ଏବଂ ଅନ୍ୟ ପଟେ ମୋବାଇଲ୍ ଫୋନରେ ତାଙ୍କ ପତ୍ନୀଙ୍କ ସହ କଥାବାର୍ତ୍ତା ହେଉଥିଲେ। ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିବା ବେଳେ ଘରେ ପହଞ୍ଚି କଥା ହେବେ ବୋଲି ବ୍ୟକ୍ତିଜଣକ କହିଥିଲେ। ଏଥିସହ ପତ୍ନୀଙ୍କୁ ‘ଓକେ’ କହି ସେ ଫୋନ୍ ରଖିଥିଲେ।
ମାତ୍ର ଷ୍ଟେଶନ ମାଷ୍ଟରଙ୍କ ‘ଓକେ’ ଶୁଣି ଅନ୍ୟ ଜଣେ ଷ୍ଟେଶନ ମାଷ୍ଟର ଏକ ଟ୍ରେନ୍କୁ ଗ୍ରୀନ୍ ସିଗନାଲ ଦେଇଦେଲେ। ନକ୍ସଲ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ ଉକ୍ତ ରୁଟ୍ ଦେଇ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଟ୍ରେନ୍ ଚଳାଚଳ ଉପରେ ରୋକ୍ ଲଗା ଯାଇଥିଲା। ମାତ୍ର ଷ୍ଟେଶନ ମାଷ୍ଟରଙ୍କ ‘ଓକେ’ ଯୋଗୁ ଟ୍ରେନ୍ଟି ଉକ୍ତ ରୁଟ୍ରେ ଚାଲି ଯାଇଥିଲା। ଏହି ସାମାନ୍ୟ ତ୍ରୁଟି ପାଇଁ ରେଳୱେର ୩ କୋଟିର କ୍ଷତି ହୋଇଥିବା ବେଳେ ଉକ୍ତ ଷ୍ଟେଶନ ମାଷ୍ଟରଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ଏହାପରେ ଏବେ ତାଙ୍କ ଛାଡ଼ପତ୍ର ଆବେଦନ ଉପରେ ମୋହର ବାଜିଛି।