ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାର ଏକ ସପ୍ତାହ ମଧ୍ୟରେ ଦୁର୍ନୀତି ବିରୋଧରେ ଏକ ବଡ ପଦକ୍ଷେପ ନେଇଛନ୍ତି। ଖଣି ମାମଲାରେ ଅନିୟମିତତା ଅଭିଯୋଗରେ ସେ ସୋନଭଦ୍ର ଜିଲ୍ଲା ମାଜିଷ୍ଟ୍ରେଟ (ଡିଏମ) ଟି.କେ ଶିବୁଙ୍କୁ ନିଲମ୍ବିତ କରିଛନ୍ତି। ୨୦୧୨ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଟି.କେ ଶିବୁଙ୍କ ବିରୋଧରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିଏମ୍ ଯୋଗୀ ସ୍ପଷ୍ଟ କରିଛନ୍ତି ଯେ ଏହି କାର୍ଯ୍ୟକାଳରେ ଦୁର୍ନୀତି ଉପରେ ଶୂନ୍ୟ ସହନଶୀଳତା ନୀତି ମଧ୍ୟ କଡାକଡି ଭାବେ କାର୍ଯ୍ୟକାରୀ ହେବ। ଏହି କାର୍ଯ୍ୟ ପରେ ଡିଏମ୍ ଉପରେ ବିଭାଗୀୟ ଅନୁସନ୍ଧାନ କରାଯାଇଛି। ବାରାଣାସୀର କମିଶନରଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ଵ ଦିଆଯାଇଛି।ଜିଲ୍ଲା ନିର୍ବାଚନ ଅଧିକାରୀ ଭାବରେ ମଧ୍ୟ ସେ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ସମୟରେ ଅବହେଳା କରିଥିଲେ। ଡାକ ବାଲାଟ ପେପରକୁ ସିଲ୍ କରାଯାଇ ନଥିଲା, ଯେଉଁଥିପାଇଁ ସମଗ୍ର ଜିଲ୍ଲାର ମତଦାନ ବାତିଲ ହେବାର ପରିସ୍ଥିତି ଉପୁଜିଥିଲା।