ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା: ମଙ୍ଗଳାବାଗ ଥାନାରେ କେସ୍ ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସସିବି ମେଡିକାଲରେ ଆଇନଜୀବୀଙ୍କୁ ଆକ୍ରମଣ ଘଟଣା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଏ ନେଇ ମଙ୍ଗଳାବାଗ ଥାନାରେ ରୁଜୁ ମାମଲାରେ ତଦନ୍ତର ଅଗ୍ରଗତି ନେଇ ଅବଗତ କରବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ କେସ୍ ଡାଏରି ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ସପନ କମାର ପାଳଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୧ ଅକ୍ଟୋବର ୨୧ ତାରିଖରେ ଶ୍ରୀ ପାଳଙ୍କୁ ଏସସିବି ମେଡିକାଲ ପରିସରରେ ଡାକ୍ତରମାନେ ମାଡ ମାରିଥିବା ନେଇ ଅଭିଯୋଗ ହୋଇଥିଲା।
ଶ୍ରୀ ପାଳଙ୍କ ଅସୁସ୍ଥ ଶାଶୂଙ୍କ ମଧ୍ୟ ସେ ଦିନ ଦୁର୍ବ୍ୟବହାର ପ୍ରଦର୍ଶନ କରାଯାଇଥିଲା। ଏ ନେଇ ମଙ୍ଗଳାବାଗ ଥାନାରେ ୨୦୨୧, ଅକ୍ଟୋବର ୨୧ରେ ସେ ଏତଲା ଦେଇଥିଲେ। କିନ୍ତୁ ପୁଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ବୋଲି ଦର୍ଶାଇ ଶ୍ରୀ ପାଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ମାମଲାରେ ଗୃହ ସଚିବ, ପୁଲିସ ଡିଜି, କଟକ ଡିସିପି ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଛନ୍ତି।