ଓଡ଼ିଆ ନ୍ୟୁଜ୍: ବିଜେପି ସରକାରର ୧୭ ମାସରେ ୩୭,୯୧୬ ଜଣଙ୍କୁ ମିଳିଛି ନିଯୁକ୍ତି। ନିଯୁକ୍ତି ମେଳାରେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ‘ତ୍ରୟୋଦଶ ନିଯୁକ୍ତି ମେଳାରେ ୩ ବିଭାଗରେ ୫୯୧ ଜଣଙ୍କୁ ନିଯୁକ୍ତି’। ‘୫ ବର୍ଷରେ ଦେଢ଼ ଲକ୍ଷ ସରକାରୀ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ’।ନିଯୁକ୍ତି ବୃଦ୍ଧି ପାଇଁ ସରକାର ଏ ଦିଗରେ କାର୍ଯ୍ୟ କରୁଛନ୍ତି: ମୁଖ୍ୟମନ୍ତ୍ରୀ।‘ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ଦେବା ପାଇଁ ଟାର୍ଗେଟ୍ ରଖାଯାଇଛି’। ଓଡ଼ିଶା କୃଷି ଶିକ୍ଷା ସଦନସ୍ଥିତ ସଭାଗୃହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଆପଣମାନେ ‘ମାନବ ସେବା ହିଁ ମାଧବ ସେବା’କୁ ଧେୟ କରି ସଚ୍ଚୋଟତା, ସମର୍ପଣ ଏବଂ ସହାନୁଭୂତିକୁ ଆପଣଙ୍କର ମାର୍ଗଦର୍ଶକ ଭାବରେ ଗ୍ରହଣ କରନ୍ତୁ।
ସହୃଦୟତା ଓ ନ୍ୟାୟ ସହିତ ପ୍ରତ୍ୟେକ ନିଷ୍ପତ୍ତି ନେଇ ତୃଣମୂଳ ସ୍ତରରେ ଜନକଲ୍ୟାଣ ନୀତିଗୁଡ଼ିକୁ ପ୍ରଭାବଶାଳୀ ଭାବରେ କାର୍ଯ୍ୟକାରୀ କରନ୍ତୁ। ସବୁବେଳେ ମନେ ରଖନ୍ତୁ, ମୋ ସରକାର ଦୁର୍ନୀତି ବିରୁଦ୍ଧରେ ‘ଶୂନ୍ୟ ସହନଶୀଳତା’ ନୀତି ଅବଲମ୍ବନ କରୁଛି ଓ ଦୁର୍ନୀତିଗ୍ରସ୍ତଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ସେଥିପାଇଁ ଆପଣମାନେ ଦୁର୍ନୀତିରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ। ମୋର ବିଶ୍ଵାସ, ଆପଣ ସମସ୍ତେ ନିଜ ପଦର ମୂଲ୍ୟ ବୁଝି ଅତ୍ୟନ୍ତ ନିଷ୍ଠା ଏବଂ ସଚ୍ଚୋଟତାର ସହ କାର୍ଯ୍ୟ କରି ଏକ ବିକଶିତ ଓ ସମୃଦ୍ଧ ଓଡ଼ିଶାକୁ ଗଠନରେ ନିଜର ଯୋଗଦାନ ଦେବେ।