ଓଡ଼ିଆ ନ୍ୟୁଜ୍: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଘଟିଥିବା ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଅଞ୍ଚଳକୁ ଛାତି ଥରେଇ ଦେଇଛି। ଘଟଣାକୁ ନେଇ ତୀବ୍ର ଜନ ଅସନ୍ତୋଷ ମଧ୍ୟରେ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ଆଜି ଚାନ୍ଦବାଲିରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଯଦିଓ ପୋଲିସ ଘଟଣାର ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି, ତଥାପି ଏବେବି ଚାନ୍ଦବାଲି ଅଶାନ୍ତ ଲାଗି ରହିଛି। ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଭଳି ଜଘନ୍ୟ ଘଟଣାକୁ ନେଇ ଆଜି ଚାନ୍ଦବାଲିବାସୀ ମର୍ମାହତ।
ବିଜେଡି ଓ କଂଗ୍ରେସ ଦଳର ୬ ଘଣ୍ଟିଆ ବନ୍ଦ ଡାକରାରେ ସକାଳ ୬ଟାରୁ ଦିବା ୧୨ଟା ପର୍ୟ୍ୟନ୍ତ ଚାନ୍ଦବାଲି ସହର ସହିତ ଘଣ୍ଟେଶ୍ୱର, ମୋତୋ, ଦିଗଛିଆ, ଗଦି ଏବଂ ଆଖପାଖ ଅଞ୍ଚଳରେ ଜନଜୀବନ ଠପ୍ ହୋଇଯାଇଛି । ବନ୍ଦ ପାଇଁ ଦୋକାନ, ବଜାର, ବ୍ୟାଙ୍କ ଓ ବେସରକାରୀ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହିଥିଲା। ଯାନବାହନ ଚଳାଚଳ କମ ଥିବାରୁ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ଦ ସମୟରେ ବିଜେଡି ଓ କଂଗ୍ରେସ କର୍ମୀମାନେ ଚାନ୍ଦବାଲିର ମୁଖ୍ୟ ଛକ ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପିକେଟିଂ କରି ସରକାର ଓ ପୋଲିସ ପ୍ରଶାସନ ବିରୋଧରେ ଜୋରଦାର ନାରାବାଜି କରିଥିଲେ।