ଓଡ଼ିଆ ନ୍ୟୁଜ୍: ବିଧାୟକ ଦାଶରଥି ଗମାଙ୍ଗଙ୍କୁ କଂଗ୍ରେସର ଅନ୍ତିମ ଚେତାବନୀ। ଆଜି ସନ୍ଧ୍ୟା ୬ଟା ସୁଦ୍ଧା ଦଳୀୟ କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ। ମାର୍ଚ୍ଚ ୮ ତାରିଖରୁ ଦଳ ସହ ସମ୍ପର୍କ ଛିନ୍ନ କରିଛନ୍ତି ଦାଶରଥି। ଦଳୀୟ ହୁଇପ୍ ସତ୍ତ୍ୱେ ଭୁବନେଶ୍ୱରରେ ଅନୁପସ୍ଥିତ ରହିବା ନେଇ କୈଫିୟତ ମଗାଗଲା।ସନ୍ଧ୍ୟା ସୁଦ୍ଧା ସନ୍ତୋଷଜନକ ଉତ୍ତର ନମିଳିଲେ ହେବ ବହିଷ୍କାର। ଶୃଙ୍ଖଳା କମିଟି ଅଧ୍ୟକ୍ଷ ସୁନିଲ୍ କୁମାର ପାଢ଼ୀଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ।
ଆସନ୍ତା ୧୬ ମାର୍ଚ୍ଚ ଅନୁଷ୍ଠିତ ହେଉଥିବା ଦ୍ୱିବାର୍ଷିକ ରାଜ୍ୟସଭା ନିର୍ବାଚନ ପାଇଁ ଦଳର ବିଧାୟକମାନଙ୍କୁ ୧୩ ତାରିଖରୁ ଭୁବନେଶ୍ଵରରେ ରହିବା ନିମନ୍ତେ ହ୍ବିପ୍ ଜାରି କରାଯାଇଥିବା ଆପଣ ଜାଣନ୍ତି I
ତେବେ ଗତ ୮ ମାର୍ଚ୍ଚ ୨୦୨୬ରୁ ଏ ଯାଏ ସପ୍ତାହେ କାଳ ଆପଣଙ୍କୁ ଯୋଗାଯୋଗ କରିବା ପାଇଁ ପିସିସି ସଭାପତି ଚେଷ୍ଟା କରୁଛନ୍ତି, ଅଥଚ ଆପଣ ମିଳୁନାହାନ୍ତି I ଏଆଇସିସି ଓଡ଼ିଶା ଇନ୍-ଚାର୍ଜ ଅଜୟ କୁମାର ଲଲ୍ଲୁ ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ମଧ୍ୟ ଆପଣଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବାକୁ ବହୁବାର ଚେଷ୍ଟା କରି ବିଫଳ ହୋଇଛନ୍ତି । କେବଳ ସେତିକି ନୁହେଁ, ଆପଣଙ୍କ ଭୁବନେଶ୍ଵ ସ୍ଥିତ ବାସଭବନ ଓ ଆପଣଙ୍କ ଗ୍ରାମରେ ମଧ୍ୟ ଆପଣଙ୍କୁ ବହୁବାର ଖୋଜିବାକୁ ଚେଷ୍ଟା କରାଯାଇଥିଲା I ତେବେ ଏପରି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଆପଣ ରହସ୍ୟମୟ ଭାବେ ଉଭାନ ହୋଇଯିବା ଦ୍ଵାରା ରାଜ୍ୟବାସୀଙ୍କ ନିକଟକୁ ଭୁଲ୍ ବାର୍ତ୍ତା ଯାଉଛି । ସ୍ୱାଧୀନ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ଵର ହୋତାଙ୍କୁ ମିଳିତ ଭାବେ କଂଗ୍ରେସ-ବିଜେଡି-ସିପିଆଇ(ଏମ୍) ଜିତାଇବାକୁ ଚେଷ୍ଟା କରୁଥିବା ବେଳେ ଆପଣଙ୍କ ଖୋଜୁଖବର ନ ଥିବା ନେଇ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଇବା ଦ୍ଵାରା ରାଜ୍ୟବାସୀଙ୍କ ମନରେ ଅହେତୁକ ଦ୍ବନ୍ଦ୍ବ ସୃଷ୍ଟି ହେଉଛି ।