ଓଡ଼ିଆ ନ୍ୟୁଜ୍: ଭୁବନେଶ୍ବର: ପଳାଶୁଣୀ ଓଭରବ୍ରିଜ୍ ଉପରେ ଜଳିଗଲା ଟ୍ରକ୍। ଜାତୀୟ ରାଜପଥରେ ହୁତୁ ହୁତୁ ହୋଇ ଜଳିଗଲା ଟ୍ରକ୍। ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର।ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ଅଗ୍ନିଶମ ବାହିନୀ ଦ୍ବାରା ନିଆଁ ଆୟତ୍ତ।ପାରାଦ୍ୱୀପରୁ ଗୁଜୁରାଟ ଯାଉଥିବା ଏକ ଟ୍ରକରେ ଭୁବନେଶ୍ୱର ପଳାଶୁଣୀ ଅଞ୍ଚଳରେ ଲାଗିଛି ଭୟଙ୍କର ନିଆଁ । ପ୍ରାଥମିକ ସୂଚନା ଅନୁସାରେ ଅତ୍ୟଧିକ ଗରମ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ଟ୍ରକଟିରେ ସାବୁନ ତିଆରି ପାଇଁ ବ୍ୟବହୃତ କଞ୍ଚା ମାଲ ଭର୍ତ୍ତି ଥିଲା। ଟ୍ରକ ଚାଲୁଥିବା ବେଳେ ହଠାତ୍ ନିଆଁ ଲାଗିଥିଲା ଏବଂ କିଛି ସମୟ ମଧ୍ୟରେ ସମଗ୍ର ଗାଡିରେ ଅଗ୍ନି ଭୟଙ୍କର ଭାବେ ବ୍ୟାପି ଯାଇଥିଲା। ଡ୍ରାଇଭର ଓ ହେଲ୍ପର ସମୟରେ ସତର୍କ ହୋଇ ଟ୍ରକରୁ ବାହାରି ପଳାଇବାରୁ ଦୁଇଜଣଙ୍କ ଜୀବନ ରକ୍ଷା ପାଇଛି ବୋଲି ସୂଚନା ମିଳିଛି ।
ଖବର ପାଇଁ ଅଗ୍ନିଶମ ବିଭାଗର ଭୁବନେଶ୍ୱର ଓ ପାହାଳ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାରେ ଲାଗିପଡ଼ିଛନ୍ତି । ଏହି ଅଗ୍ନିକାଣ୍ଡ ଫଳରେ ଜାତୀୟ ରାଜପଥର ଉଭୟ ପଟରେ ଯାତାୟାତ ଠପ ହୋଇପଡିଛି। ତେବେ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିଥିବାକୁ ନେଇ ପ୍ରତ୍ୟକ୍ଷଦର୍ଶୀମାନେ କ୍ଷୋଭ ପ୍ରକାଶ କରିଛନ୍ତି ।