ତତଲା କଡେଇରେ ସିଝୁଛି ଓଡ଼ିଶା

0

ଓଡ଼ିଆ ନ୍ୟୁଜ୍: ଖରାରେ ସିଝୁଛି ସାରା ଓଡ଼ିଶା। ଆଗାମୀ ଦୁଇ ଦିନ ତାତିରୁ ମିଳିବନି ନିସ୍ତାର। ଛଟପଟ କରିଦେଉଛି ଏ ଗ୍ରୀଷ୍ମ ଜ୍ୱାଳା । ପଦାକୁ ଗୋଡ଼ କାଢ଼ିବାକୁ ଡର ମାଡ଼ୁଛି । ଗୋଡ଼ାଉଛି ତାତି ଆତଙ୍କ । ଉତ୍ତର ଓ ପଶ୍ଚିମ ଭାରତ ଭଳି ଓଡ଼ିଶାରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ତାତି । ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ସର୍ବୋଚ୍ଚ ତାପମାତ୍ରା ଥିଲା ୪୫.୨ ଡିଗ୍ରୀ ସେଲସିୟସ୍ । ତା’ ପଛକୁ ଦ୍ୱିତୀୟରେ ଥିଲା ଓଡ଼ିଶାର ଝାରସୁଗୁଡ଼ା । ଏଠି ପାରଦ ଛୁଇଁଲା ୪୪.୮ ଡିଗ୍ରୀ । ୪୫ ଡିଗ୍ରୀ ମୁହାଁ ଝାରସୁଗୁଡ଼ା ଦାଉ ଦାଉ ହୋଇ ମଧ୍ୟ ଜଳୁଥିଲା ।

ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ଥିଲା । ୬ଟି ସ୍ଥାନ ୪୩ ଡେଇଁଥିଲା । ଟିଟିଲାଗଡ଼ ତାପମାତ୍ରା ୪୪ ଡିଗ୍ରୀ, ସମ୍ବଲପୁର ୪୩.୬, ହୀରାକୁଦ ୪୩.୪, ଅନୁଗୁଳ ୪୩.୧, ବଲାଙ୍ଗିର ୪୩ । ସୁନ୍ଦରଗଡ଼, ତାଳଚେର, ଭବାନୀପାଟଣା, ସୋନପୁର, ପାରଳାଖେମୁଣ୍ଡି, ନୂଆପଡ଼ା ତାପମାତ୍ରା ୪୨-୪୩ ଡିଗ୍ରୀ ଭିତରେ ରହିଥିଲା ।ପଶ୍ଚିମରୁ ଉପକୂଳ ଚାରିଆଡ଼େ ନିଆଁ ମାଡ଼ ଭଳି ଗରମ ଲାଗି ରହିଛି ।

ସକାଳ ୯ଟାରୁ ଟାଏଁ ଟାଏଁ ଖରା । ୧୧ଟାବେଳକୁ ନିଆଁ ବର୍ଷୁଛି ଆକାଶରୁ । ୧୨ଟାବେଳକୁ ରାସ୍ତାଘାଟ ଖାଁ ଖାଁ । ଟ୍ରାଫିକ ଛକରେ ମିନିଟିଏ ଅଟକିଲେ ମୁଣ୍ଡ ଘାଇଁ ଘାଇଁ ହୋଇଯାଉଛି । ଲାଗୁଛି ପ୍ରାଣ ଛାଡ଼ିଯିବ । ଏମିତି ଝାଞ୍ଜି ମାଡ଼ ହେଉଛି, ଦେହ, ମୁହଁ ଜଳିଲା ଭଳି ଲାଗୁଛି । ଘରେ ବି ନିସ୍ତାର ନାହିଁ । ପଙ୍ଖା ପବନ କାଟୁ କରୁନି । ଛାତ, ଚଟାଣ, କାନ୍ଥ ତାତି ନିଆଁ । ଟ୍ୟାପ ଖୋଲିଲେ ତତଲା ପାଣି । ଅବସ୍ଥା ସଙ୍ଗୀନ ।

Leave A Reply

Your email address will not be published.