ଓଡ଼ିଆ ନ୍ୟୁଜ୍: ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ଦାବିରେ ବାଚସ୍ପତିଙ୍କ ଦ୍ୱାରସ୍ଥ ହେଲା ବିଜେଡି। ଶଙ୍ଖ ଭବନରେ ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ନିଆଯାଇଛି ବଡ଼ ନିଷ୍ପତ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି। ବିଧାନସଭା ବାଚସ୍ପତିଙ୍କୁ ଭେଟି ଆନୁଷ୍ଠାନିକ ଭାବେ ଦାବିପତ୍ର ପ୍ରଦାନ କଲେ ବିଜେଡି ନେତା।ଦଳୀୟ ଶୃଙ୍ଖଳା ରକ୍ଷା ପାଇଁ ବିଜେଡିର ଏହି ପଦକ୍ଷେପ ରାଜ୍ୟ ରାଜନୀତିରେ ସୃଷ୍ଟି କରିଛି ହଟଚମଟ।ବିଜେଡି ବିଧାୟକମାନେ ବିଧାନସଭା ପରିସରରେ ବାଚସ୍ପତିଙ୍କୁ ଭେଟି ପିଟିସନ ଦାଖଲ କରିଛନ୍ତି । ଆର୍ଟିକିଲ ୧୯୧ ଅନୁସାରେ ସଭ୍ୟପଦ ରଦ୍ଦ ହେବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ ।
ଗତ ରାଜ୍ୟସଭା ନିର୍ବାଚନରେ ବିଜେଡିର ୬ଜଣ ବିଧାୟକ ଦଳୀୟ ହୁଇପ୍ ମାନିନଥିଲେ । ଏହାପରେ ଦଳ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା । ପରେ ବିଜେଡି ୬ଜଣ ବିଧାୟକଙ୍କୁ ଦଳରୁ ସସପେଣ୍ଡ କରିଥିଲା । ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ ଦଳୀୟ ନିଷ୍ପତ୍ତି ବିରୋଧରେ ରାଜ୍ୟସଭା ନିର୍ବାଚନରେ ଭୋଟ୍ ଦେଇଥିଲେ। ଏହାସହ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ଦଳ ପକ୍ଷରୁ ନିଲମ୍ବନ କରାଯାଇଥିଲା ।