ଓଡ଼ିଆ ନ୍ୟୁଜ୍: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ।ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ।ଚେନ୍ନାଇର ନେହରୁ ଷ୍ଟାଡିୟମରେ ଐତିହାସିକ ଶପଥ ଉତ୍ସବ ଅନୁଷ୍ଠିତ ହୋଇଛି। ଉତ୍ସବରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସାମିଲ ହୋଇଥିଲେ।
ଶିଶୁ କଳାକାରରୁ ଜନନାୟକ । ଥଲାପତିଙ୍କ ‘ବିଜୟ ଯାତ୍ରା’ । ବିଜୟ ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଛନ୍ତି। ବିଜୟଙ୍କ ପୂରା ନାମ ହେଉଛି ଜୋସେଫ୍ ବିଜୟ ଚନ୍ଦ୍ରଶେଖରନ୍ । ୧୯୭୪ ମସିହା ଜୁନ୍ ୨୨ରେ ଚେନ୍ନାଇରେ ତାଙ୍କର ଜନ୍ମ । ଅତି ସାନବେଳୁ ସେ ଫିଲ୍ମ ଜଗତରେ କ୍ୟାରିୟର ଆରମ୍ଭ କରିଥିଲେ । ତାଙ୍କୁ ମାତ୍ର ୧୦ ବର୍ଷ ହୋଇଥିବାବେଳେ ୧୯୮୪ରେ ‘ଭେଟ୍ରି’ ଫିଲ୍ମରେ ସେ ଶିଶୁ କଳାକାର ଭାବେ ନଜର ଆସିଥିଲେ।
ସେହି ଫିଲ୍ମକୁ ତାଙ୍କ ପିତା ଏସ୍.ଏ ଚନ୍ଦ୍ରଶେଖରନ୍ ନିର୍ଦ୍ଦେଶନା ଦେଇଥିଲେ। ଏହାପରେ ଆହୁରି କିଛି ଫିଲ୍ମରେ ତାଙ୍କୁ ଛୋଟମୋଟ ଭୂମିକାରେ ଦେଖିବାକୁ ମିଳିଥିଲା। ୧୯୯୨ରେ ବିଜୟ ‘ନଲାୟା ଥିରପୁ’ରେ ପ୍ରଥମ ଥର ପାଇଁ ମୁଖ୍ୟ ଅଭିନେତା ଭାବେ ଅଭିନୟର ସୁଯୋଗ ପାଇଥିଲେ। କିନ୍ତୁ ସେହି ଫିଲ୍ମ କୌଣସି ସଫଳତା ପାଇନଥିଲା । ତେବେ ୨୦୦୦ ମସିହା ଆରମ୍ଭରେ ବିଜୟଙ୍କ କ୍ୟାରିୟର ଗାଡ଼ି ଆଗକୁ ବଢ଼ିଥିଲା । ଦର୍ଶକଙ୍କୁ ସେ ଅନେକ ବ୍ଲକ୍ ବଷ୍ଟର ଫିଲ୍ମ ଭେଟି ଦେଇଥିଲେ।