ଓଡ଼ିଆ ନ୍ୟୁଜ୍: ଆଜି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। ଦଳର ସର୍ବୋଚ୍ଚ ସାଂଗଠନିକ ପଦବୀ ସମ୍ଭାଳିବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ଫୋକସରେ ସାଂଗଠନିକ ସମୀକ୍ଷା ସହ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି । ବିଜେପିର ସାଂଗଠନିକ ପ୍ରକ୍ରିୟାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଦଳର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଆଜି ରାତି ୧୦ଟା ୩୫ ରେ ଭୁବନେଶ୍ୱରରେ ପହଞ୍ଚିବେ ।
ଆସନ୍ତାକାଲି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ସନ୍ଧ୍ୟାରେ ଦିଲ୍ଲୀ ଫେରିଯିବେ। ୨୦୨୪ ବିଧାନସଭା ନିର୍ବାଚନରେ ସଫଳତା ପରେ ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ସରକାର ଗଠନ ହୋଇଛି । ଆସନ୍ତା ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦଳୀୟ ପ୍ରସ୍ତୁତି ଓ ବୁଥ୍ ସ୍ତରୀୟ ସଂଗଠନକୁ ସଜାଡ଼ିବା ଦିଗରେ ଏହି ଗସ୍ତକୁ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । କାଲି ଇ-ବାଇକ୍ ର୍ୟାଲି ମାଧ୍ୟମରେ ସ୍ୱାଗତ କରାଯିବ।କାଲି ଇ-ବାଇକ୍ ର୍ୟାଲି ମାଧ୍ୟମରେ ସ୍ୱାଗତ କରାଯିବ । ଇନ୍ଧନ ସଂରକ୍ଷଣର ବାର୍ତ୍ତା ଦେଇ ଦଳୀୟ କର୍ମୀମାନେ ଇଲେକ୍ଟ୍ରିକ ବାଇକ୍ ରାଲି ମାଧ୍ୟମରେ ଜାତୀୟ ଅଧ୍ୟକ୍ଷଙ୍କୁ ଜଟଣୀ ପର୍ଯ୍ୟନ୍ତ ନେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତା ଏହାର ସମୀକ୍ଷା କରୁଛନ୍ତି ।
ଜଟଣୀଠାରେ ଆୟୋଜିତ ଭୁବନେଶ୍ୱର ଜିଲ୍ଲା ବିଜେପିର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ‘ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ’ର ଏକ ଅଂଶ। ଏଥିରେ ବୁଥ୍ ସ୍ତରୀୟ ପରିଚାଳନା, ଡିଜିଟାଲ୍ ଯୋଗାଯୋଗ ଏବଂ ସରକାରଙ୍କ ଯୋଜନା ବିଷୟରେ ଆଲୋଚନା ହେବ। ଯେଉଁଥିରେ ପ୍ରାୟ ୫ହଜାର କର୍ମୀ ଓ ସ୍ଥାନୀୟ ପଦାଧିକାରୀ ସାମିଲ ହେବାର ଲକ୍ଷ୍ୟ ରଖାଯାଇଛି ।