ଓଡ଼ିଆ ନ୍ୟୁଜ୍: ତାତି ଗୁଳଗୁଳିରୁ ସାମାନ୍ୟ ଆଶ୍ୱସ୍ତି: ଟ୍ୱିନ ସିଟିରେ ବର୍ଷା। ଭୁବନେଶ୍ୱରର କିଛି ସ୍ଥାନରେ ହାଲୁକା ବର୍ଷା। କଟକର କେତେକ ସ୍ଥାନରେ କୁଆପଥର ସହ ବର୍ଷା। ସେପଟେଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିଛି । ସନ୍ଧ୍ୟା ୫ ଟାରୁ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ହୋଇଥିବା ଭୟଙ୍କର କାଳବୈଶାଖୀ ଲୋକଙ୍କ ମନରେ ଆତଙ୍କ ଖେଳାଇଦେଇଛି । ହଠାତ୍ ଆକାଶ କଳାମେଘରେ ଢାଙ୍କିଯାଇଥିବା ବେଳେ ଝଡ଼ର ରୂପ ନେଇଥିବା ପ୍ରବଳ ପବନ ସହ ମୁଷଳଧାରା ବର୍ଷା ହୋଇଛି । ଧାମନଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ଏକ ଘଣ୍ଟା ଧରି ତୀବ୍ର ବେଗରେ ପବନ ବହିବା ସହ ବିଜୁଳି ଘଡଘଡି ଲୋକମାନଙ୍କୁ ଭୟଭୀତ କରିଦେଇଥିଲା ।
ପ୍ରବଳ ପବନର ପ୍ରଭାବରେ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଓ ଘର ଉପରେ ପଡ଼ିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଧାମନଗର-ଚୁଡ଼ାକୁଟି ରାସ୍ତାରେ ଗଛ ପଡ଼ିବା ଦ୍ୱାରା ଗାଡି ଚଳାଚଳ ବନ୍ଦ ରହିଛି । ସେହିପରି କୁସୁମା, ଖଡିପଦା, କାଞ୍ଜିଆପାଳ ଓ ବ୍ଲକ ବଜାର ଅଞ୍ଚଳରେ ଗଛ ଭାଙ୍ଗି ବିଦ୍ୟୁତ୍ ଖୁଣ୍ଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଛି । ଫଳରେ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।