ଓଡ଼ିଆ ନ୍ୟୁଜ୍: ରାଜ୍ୟ କ୍ୟାବିନେଟର ଗୁରୁତ୍ୱ ପୂର୍ଣ୍ଣ ବୈଠକ। ୫ଟି ବିଭାଗର ୧୦ଟି ପ୍ରସ୍ତାବ ଉପରେ ବାଜିଲା ମୋହର। ରାଜ୍ୟ କ୍ୟାବିନେଟର ୪୧ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ।ବୈଠକରେ ୫ ଟି ବିଭାଗର ୧୦ ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି। ଶିଳ୍ପ ବିଭାଗର ୨ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୪ ଟି, ଜଳ ସମ୍ପଦ ବିଭାଗର ୨ଟି, ରାଜସ୍ବ ୧ଟି, ପର୍ଯ୍ୟଟନ ବିଭାଗର ୧ଟି ଏହିପରି ୫ଟି ବିଭାଗର ୧୦ ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଛି।
ଆଜି ରାଜ୍ୟ କ୍ୟାବିନେଟ୍ “ଓଡିଶାର ଖୋର୍ଦ୍ଧାର କାଲିବେଟି ଶିଳ୍ପାଞ୍ଚଳରେ ମହିଳା ଶ୍ରମିକ ହଷ୍ଟେଲର ବିକାଶ” ପ୍ରକଳ୍ପର Turnkey ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରିଛନ୍ତି ଯାହା IDCO ମାଧ୍ୟମରେ କାର୍ଯ୍ୟକାରୀ ହେବ । କାଲିବେଟି ମହିଳା ଶ୍ରମିକ ହଷ୍ଟେଲ ଓଡ଼ିଶାର ବୟନ ଏବଂ ପୋଷାକ ଶିଳ୍ପର ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ଅଂଶ ହେବାର ମହତ୍ତ୍ୱକାଂକ୍ଷା ସହିତ ଗଭୀର ଭାବରେ ଜଡିତ । କାଲିବେଟି ଶିଳ୍ପ ଇଷ୍ଟେଟ୍ ହେଉଛି IDCO ଅଧୀନରେ ଥିବା ଶିଳ୍ପ ପାର୍କ ମଧ୍ୟରୁ ଗୋଟିଏ ଯେଉଁଠାରେ MAS Holdings, EPIC ଏବଂ Indian Stitches ସମେତ ପ୍ରମୁଖ ବୟନ ଏବଂ ପୋଷାକ କମ୍ପାନୀଗୁଡ଼ିକ ଦ୍ବାରା ପୁଞ୍ଜିନିବେଶ ହୋଇଛି । ଏହି କମ୍ପାନୀଗୁଡ଼ିକ ଆଗାମୀ ବର୍ଷଗୁଡ଼ିକରେ ପ୍ରାୟ ୨୦,୦୦୦ ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବାର ଆଶା କରାଯାଉଛି ।
ବିଶ୍ବ ବୟନ କର୍ମଶକ୍ତିର ୬୫-୭୦% ମହିଳା ହୋଇଥିବାରୁ, ମହିଳା ଶ୍ରମିକଙ୍କ ପାଇଁ ସୁରକ୍ଷିତ ଏବଂ ସୁସଜ୍ଜିତ ବାସସ୍ଥାନର ଚାହିଦା ପୂରଣ ଓଡ଼ିଶା ରାଜ୍ୟ ସରକାରଙ୍କ ପାଇଁ ପ୍ରାଥମିକତା କ୍ଷେତ୍ର ମଧ୍ୟରୁ ଗୋଟିଏ ହୋଇ ଉଭାହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର କାଲିବେଟି ଶିଳ୍ପାଞ୍ଚଳ ନିକଟରେ ମହିଳା ଶ୍ରମିକମାନଙ୍କୁ ଏକ ନିରାପଦ ବାସସ୍ଥାନ ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି । ସାମାଜିକ ଏବଂ ସାମୁଦାୟିକ ଭିତ୍ତିଭୂମି ସହିତ ଶିଳ୍ପ କ୍ଷେତ୍ରରେ ମହିଳା ଶ୍ରମିକ ହଷ୍ଟେଲ ବିକଶିତ କରାଯିବ । ଏହି ଶ୍ରମିକ ହଷ୍ଟେଲ ୪୦୦୦ ମହିଳା କର୍ମଚାରୀଙ୍କ ପାଇଁ ସେବା ଯୋଗାଇବ ଏବଂ ସୁରକ୍ଷା, ଉତ୍ପାଦକତା ପରିବେଶ, ୟୁନିଟ୍ ପିଛା ଖର୍ଚ୍ଚ ସଞ୍ଚୟ ଏବଂ କର୍ମସ୍ଥଳୀକୁ କମ୍ ଯାତ୍ରା ସମୟ ସୁନିଶ୍ଚିତ କରିବ ।
ରାଜ୍ୟ କ୍ୟାବିନେଟ ଆଜି ୨୧୦.୩୬ କୋଟି ଟଙ୍କାର ପ୍ରକଳ୍ପ ମୂଲ୍ୟ ସହିତ ଏହି ପ୍ରକଳ୍ପକୁ ଅନୁମୋଦନ କରିଛି । ଏହାକୁ SASC ଦ୍ବାରା ପାଣ୍ଠି ଯୋଗାଇ ଦିଆଯାଉଛି ଏବଂ ୨୪ ମାସ ଅବଧୂ ମଧ୍ଯରେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯିବ ।ପାଞ୍ଚ ବର୍ଷ ମଧ୍ୟରେ 2500.00 କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ “ଜଳତଟ ବିକାଶ ଯୋଜନା” ର ଅନୁମୋଦନ। ନିରନ୍ତର ସହରାଞ୍ଚଳ ବିକାଶ ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ବରୂପ, ରାଜ୍ୟ କ୍ୟାବିନେଟ ପାଞ୍ଚ ବର୍ଷ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଥିବା 3500 କୋଟି ଟଙ୍କାର ମୋଟ ବ୍ୟୟବରାଦ ସହିତ ଜଳତଟ ବିକାଶ ଯୋଜନାକୁ ଅନୁମୋଦନ କରିଛି।