ଓଡ଼ିଆ ନ୍ୟୁଜ୍: ଶିମିଳିପାଳରେ ବାଘବଂଶ ବୃଦ୍ଧି; ଟ୍ରାପ କ୍ୟାମେରାରେ କଏଦ ହେଲା ବାଘୁଣୀ ‘ଜିନ୍ନତ’ ଓ ଶାବକ। ଶିମିଳିପାଳରେ ବାଘବଂଶ ବୃଦ୍ଧି; ଟ୍ରାପ କ୍ୟାମେରାରେ କଏଦ ହେଲା ବାଘୁଣୀ ‘ଜିନ୍ନତ’ ଓ ଶାବକ। ମହାରାଷ୍ଟ୍ରରୁ ଓଡ଼ିଶା ଅଣାଯାଇଥିବା ବାଘୁଣୀ ‘ଜିନ୍ନତ’ ଶିମିଳିପାଳ ଜଙ୍ଗଲରେ ନିଜ ଶାବକମାନଙ୍କ ସହ ନିର୍ଭୟରେ ବୁଲୁଥିବାର ଦୃଶ୍ୟ ଟ୍ରାପ୍ କ୍ୟାମରାରେ କଏଦ ହୋଇଛି। ବନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ସ୍ୱତନ୍ତ୍ର ଫଟୋ ଓ ଭିଡିଓରେ ଜିନ୍ନତ ନିଜ ଶାବକମାନଙ୍କ ସହ ଜଙ୍ଗଲର ମୁକ୍ତ ପରିବେଶକୁ ଉପଭୋଗ କରୁଥିବା ସ୍ପଷ୍ଟ ହୋଇଛି। ଶାବକଙ୍କ ବୟସ ପ୍ରାୟ ଦୁଇ ମାସ ହେବ ବୋଲି ଅନୁମାନ କରାଯାଉଛି।
ସମସ୍ତ ଶାବକ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ସୁରକ୍ଷିତ ଥିବା ସୂଚନା। ବନ ବିଭାଗ ପକ୍ଷରୁ ସେମାନଙ୍କ ଗତିବିଧି ଉପରେ ୨୪ ଘଣ୍ଟିଆ ସ୍ୱତନ୍ତ୍ର ନଜର ରଖାଯାଇଛି। ଏହି ଖବର ସାମ୍ନାକୁ ଆସିବା ପରେ ପରିବେଶବିତ୍ ଏବଂ ବନ୍ୟଜନ୍ତୁ ପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶିମିଳିପାଳରେ ବାଘ ସଂରକ୍ଷଣ ଏବଂ ସେମାନଙ୍କ ବଂଶବୃଦ୍ଧି ପାଇଁ ସରକାର ଓ ବନ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଯେ ସଫଳ ହେଉଛି, ଏହି ଘଟଣା ତାର ଏକ ଶକ୍ତିଶାଳୀ ପ୍ରମାଣ। ମହାରାଷ୍ଟ୍ରରୁ ଅଣାଯାଇଥିବା ଏହି ବାଘୁଣୀ ଓଡ଼ିଶାର ଜଳବାୟୁ ଓ ଶିମିଳିପାଳର ପରିବେଶ ସହ ନିଜକୁ ସମ୍ପୂର୍ଣ୍ଣ ଭାବେ ଖାପଖୁଆଇ ନେଇଥିବା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି।