ଓଡ଼ିଆ ନ୍ୟୁଜ୍: ଏଣିକି ୩ ଦିନରେ ମିଳିବ ବିଦେଶ ଟିକେଟ୍! ବିଦେଶ ଯାତ୍ରା ପାଇଁ ଯୋଜନା କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଯଦି ଆପଣଙ୍କୁ ଜରୁରୀକାଳୀନ ପରିସ୍ଥିତିରେ କିମ୍ବା ଅତି କମ୍ ସମୟ ମଧ୍ୟରେ ବିଦେଶ ଯିବାକୁ ପଡ଼ୁଛି, ତେବେ ସାଧାରଣ ପାସପୋର୍ଟ ପ୍ରକ୍ରିୟାରେ ମାସ ମାସ ଧରି ଅପେକ୍ଷା କରିବା ସମ୍ଭବ ହୋଇନଥାଏ। ଏଭଳି ସ୍ଥିତିରେ କେନ୍ଦ୍ର ସରକାରଙ୍କ “ତତ୍କାଳ ପାସପୋର୍ଟ” ସେବା ସବୁଠାରୁ ବଡ଼ ସାହାରା ପାଲଟିଥାଏ।
ତେବେ ଆସନ୍ତା ଜୁଲାଇ ୧ ତାରିଖରୁ ନୂଆ ନିୟମ ଲାଗୁ ହେବାକୁ ଯାଉଥିବାରୁ, ଏହି ଜରୁରୀ ସେବାର ଶୁଳ୍କ ଓ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନ ଘଟିବାକୁ ଯାଉଛି। ତତ୍କାଳ ପାସପୋର୍ଟ ବ୍ୟବସ୍ଥା ଅଧୀନରେ ଆବେଦନ କରିବାର ମାତ୍ର ୧ ରୁ ୩ ଦିନ ମଧ୍ୟରେ ସମସ୍ତ ଯାଞ୍ଚ ଶେଷ ହୋଇ ପାସପୋର୍ଟ ପ୍ରସ୍ତୁତ ହୋଇଯାଇଥାଏ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ପ୍ରକ୍ରିୟାରେ ପାସପୋର୍ଟ ଆପଣଙ୍କ ହାତକୁ ଆସିବା ପୂର୍ବରୁ ପୋଲିସ ଯାଞ୍ଚ ଆବଶ୍ୟକ ହୋଇନଥାଏ।
ପାସପୋର୍ଟ ଘରେ ପହଞ୍ଚିବା ପରେ ହିଁ ପୋଲିସ ନିଜର ଯାଞ୍ଚ ପ୍ରକ୍ରିୟା ଶେଷ କରିଥାଏ, ଯାହାକୁ ‘ପୋଷ୍ଟ-ପୋଲିସ ଭେରିଫିକେସନ’ କୁହାଯାଏ। ଏଥିପାଇଁ ଆବେଦନକାରୀଙ୍କୁ ନିଜର ଆଧାର କାର୍ଡ, ପ୍ୟାନ୍ କାର୍ଡ କିମ୍ବା ଭୋଟର ଆଇଡି ଭଳି ପ୍ରମୁଖ ସରକାରୀ ଦସ୍ତାବିଜ ମଧ୍ୟରୁ ଅତିକମରେ ୩ଟି ଜରୁରୀ କାଗଜପତ୍ର ଦାଖଲ କରିବାକୁ ପଡ଼ିଥାଏ। ତେବେ ଏହିପରି ସେବା ପାଇଁ ଆସନ୍ତା ମାସରୁ ପକେଟ୍ ଢିଲା କରିବାକୁ ପଡ଼ିବ। ନୂଆ ସୂଚୀ ଅନୁଯାୟୀ, ଜୁଲାଇ ୧ ରୁ ୩୬ ପୃଷ୍ଠାର ସାଧାରଣ ତତ୍କାଳ ପାସପୋର୍ଟ ପାଇଁ ଫିସ୍ ବୃଦ୍ଧି ପାଇ ୫ ହଜାର ଟଙ୍କା ହେବାକୁ ଯାଉଥିବା ବେଳେ ୬୦ ପୃଷ୍ଠାର ବୁକଲେଟ୍ ପାଇଁ ଏହା ୬ ହଜାର ଟଙ୍କାକୁ ବୃଦ୍ଧି ପାଇବ। ପାସପୋର୍ଟ ସେବା ପୋର୍ଟାଲ ମାଧ୍ୟମରେ ଅନଲାଇନ୍ ଆବେଦନ କରି, ଫିସ୍ ଜମା କଲା ପରେ ନିକଟସ୍ଥ ପାସପୋର୍ଟ ସେବା କେନ୍ଦ୍ର ପାଇଁ ସ୍ଲଟ୍ ବୁକ୍ କରିବାକୁ ହେବ।