ମାନବ ଚୋରାଚାଲାଣ ମାମଲା: ଗଜପତିରୁ ହାଇଦ୍ରାବାଦ ଚେର ଖୋଜୁଛି ପୁଲିସ

0

ଓଡ଼ିଆ ନ୍ୟୁଜ୍: ମାନବ ଚୋରାଚାଲାଣ ମାମଲାରେ ଗଜପତିରୁ ହାଇଦ୍ରାବାଦ ଚେର ଖୋଜୁଛି ପୁଲିସ। ଗଜପତି ଜିଲ୍ଲାରୁ ଚାକିରିର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ନେଇ ମାନବ ଚୋରାଚାଲାଣ କରାଯାଉଥିବା ଘଟଣାରେ ତଦନ୍ତ ଦିନକୁ ଦିନ ନୂଆ ମୋଡ଼ ନେଉଛି। ଏପର୍ଯ୍ୟନ୍ତ ୭ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଦୁଇଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ତେବେ ଏହି ଘଟଣା କେବଳ ଦୁଇଜଣଙ୍କ ମଧ୍ୟରେ ସୀମିତ ନା ଏହା ପଛରେ ଏକ ବଡ଼ ଆନ୍ତଃରାଜ୍ୟ ରାକେଟ ସକ୍ରିୟ ରହିଛି, ସେନେଇ ପୁଲିସ ତଦନ୍ତ ଚଳାଇଛି। ଉଦ୍ଧାର ହୋଇଥିବା ୭ ଜଣଙ୍କ ମଧ୍ୟରୁ ୬ ଜଣ ନାବାଳିକା ଏବଂ ସମସ୍ତେ ଆଦିବାସୀ ପରିବାରର ବୋଲି ଜଣାପଡ଼ିଛି। ଏହି ତଥ୍ୟ ଗ୍ରାମାଞ୍ଚଳର ଦରିଦ୍ର ଓ ଅସହାୟ ପରିବାରକୁ ଟାର୍ଗେଟ କରି ସଙ୍ଗଠିତ ଭାବେ ମାନବ ଚୋରାଚାଲାଣ ରାକେଟ କାର୍ଯ୍ୟ କରୁଥିବା ସନ୍ଦେହକୁ ଆହୁରି ଘନୀଭୂତ କରିଛି ।

ତେବେ ମାତ୍ର ୩୦ ରୁ ୩୫ ହଜାର ଟଙ୍କାରେ ୭୦ ହଜାର ଟଙ୍କାରେ ଦୁଇଜଣଙ୍କ ଡିଲ ହେବା ସଭିଙ୍କୁ ଚକିତ କରିଛି । ପ୍ରାଥମିକ ତଦନ୍ତରେ ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ଏବଂ ହାଇଦ୍ରାବାଦର ସରିତା ଜୈନଙ୍କ ସମ୍ପୃକ୍ତି ସାମ୍ନାକୁ ଆସିଛି। ତେବେ ଏତେ ବଡ଼ ନେଟୱର୍କ କେବଳ ଦୁଇଜଣଙ୍କ ଦ୍ୱାରା ପରିଚାଳିତ ହେଉଥିବା ସମ୍ଭାବନା କମ୍ ଥିବାରୁ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି। ଅଭିଯୁକ୍ତମାନଙ୍କର କଲ୍ ରେକର୍ଡ, ଆର୍ଥିକ କାରବାର, ବ୍ୟାଙ୍କ ଲେନଦେନ ଓ ଯୋଗାଯୋଗର ମାଧ୍ୟମ, ସ୍ଥାନ ଯାଞ୍ଚ କରୁଛି ।

ବିଶେଷକରି ରା. ଉଦୟଗିରି ଓ ମୋହନା ଅଞ୍ଚଳରୁ ଚାକିରି ନାଁରେ ଆଉ କେତେ ଯୁବତୀ ବାହାର ରାଜ୍ୟକୁ ଯାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେହି ଏପର୍ଯ୍ୟନ୍ତ ଫସି ରହିଛନ୍ତି କି ନାହିଁ, ସେନେଇ ପୁଲିସ ସ୍ଥାନୀୟ ସ୍ତରରେ ମଧ୍ୟ ତଥ୍ୟ ସଂଗ୍ରହ କରୁଛି। ଆବଶ୍ୟକ ପଡ଼ିଲେ ଅନ୍ୟ ରାଜ୍ୟର ପୁଲିସ ସହ ସମନ୍ୱୟ କରାଯିବ ବୋଲି ସୂଚନା ମିଳିଛି। ତଦନ୍ତର ପରିସର କେବଳ ଗଜପତିରେ ସୀମିତ ରହିନାହିଁ। ରାୟଗଡ଼ା, କନ୍ଧମାଳ ଓ ପଡ଼ୋଶୀ ଜିଲ୍ଲାରୁ ମଧ୍ୟ ସମାନ ଢଙ୍ଗରେ ଯୁବତୀମାନଙ୍କୁ ବାହାରକୁ ପଠାଯାଇଥିଲା କି ନାହିଁ, ସେନେଇ ମଧ୍ୟ ଖୋଳତାଡ଼ ଚାଲିଛି।

Leave A Reply

Your email address will not be published.