ଓଡ଼ିଆ ନ୍ୟୁଜ୍: ୨୧ରେ ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ। ଏହାର ଅଂଶସ୍ୱରୂପ ଆସନ୍ତା ଜୁଲାଇ ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ଅନୁଷ୍ଠିତ ହେବ। ଏ ନେଇ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କୁ ଚିଠି ଜାରି କରାଯାଇଛି।ଓସୱାନ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ୨୦୨୭ ନିର୍ବାଚନର ପ୍ରସ୍ତୁତି ସହ ଜଡିତ ଦୁଇଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ।
ପ୍ରଥମେ, ବୁଥ୍ଭିତ୍ତିକ ଭୋଟର ତାଲିକା ପ୍ରସ୍ତୁତି ପାଇଁ ଘରକୁ ଘର ବୁଲି ସର୍ଭେ କାର୍ଯ୍ୟକ୍ରମର ରୂପରେଖା, କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ। ଏହି ସର୍ଭେ ମାଧ୍ୟମରେ ଭୋଟର ତାଲିକାକୁ ଅଧିକ ସଠିକ୍ ଓ ଅଦ୍ୟତନ କରିବାକୁ କମିଶନ ଗୁରୁତ୍ୱ ଦେଉଛନ୍ତି।ସେହିପରି, ୨୦୨୨ ମସିହାରେ ଅନୁଷ୍ଠିତ ପୌର ନିର୍ବାଚନ ସମ୍ପର୍କିତ ବାକି ରହିଥିବା ଡିସି ବିଲ୍ ଏବଂ ଉପଯୋଗିତା ପ୍ରମାଣପତ୍ର ଦାଖଲ ପ୍ରକ୍ରିୟାର ଅଗ୍ରଗତି ମଧ୍ୟ ବୈଠକରେ ସମୀକ୍ଷା କରାଯିବ। ବାକି ଥିବା ଆର୍ଥିକ ଓ ପ୍ରଶାସନିକ ପ୍ରକ୍ରିୟାକୁ ଶୀଘ୍ର ସମାପ୍ତ କରିବା ଉପରେ ମଧ୍ୟ ଜୋର ଦିଆଯିବ।